ଭାଲିଆଗୁଡା ମିଛ ଏନକାଉଁଣ୍ଟର ପିଡୀତଙ୍କୁ ନ୍ୟାୟ ଦାବିରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ ।
ବ୍ରହ୍ମପୁର,୧୬/୧୧: ଗତ ୨୦୧୨ ମସିହା ନଭେମ୍ବର ୧୪ ତାରିଖରେ କନ୍ଧମାଳ ଓ ଗଜପତି ଜିଲ୍ଲାର ସୀମାନ୍ତ ଭାଲିଆଗୁଡା ଜଙ୍ଗଲରେ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା କନ୍ଧମାଳ ଜିଲ୍ଲାର ୫ ଜଣ ନିରୀହ ବ୍ୟକ୍ତିଙ୍କ ମୃତ୍ୟୁର ତଦନ୍ତ ଓ ସ୍ଵାମୀହରା ପତ୍ନୀ ତଥା ପୀଡିତ ପରିବାର ମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା ଏବଂ ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳ ଆହ୍ୱାନରେ ଆୟୋଜିତ ଏହି ପ୍ରତିବାଦ ପ୍ରଦର୍ଶନ ପରେ ରାଜ୍ୟପାଳ, ଆର୍.ଡି.ସି ଏବଂ ଓଡ଼ିଶା ହାଇକୋର୍ଟର ମୂଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭାଲିଆଗୁଡା ମିଛ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ନିର୍ଦ୍ଦୋଷ ଆଦିବାସୀ ଓ ଦଳିତ ପରିବାରର ସଦସ୍ୟ ତଥା ଅଞ୍ଚଳବାସୀ ଅଭିଯୋଗ କରିଥିଲେ ଯେ (୧)ଘାସିରାମ ବାଗସିଂ (ଗ୍ରାମ-ମାର୍ଦ୍ଦିପଙ୍କା, ପୋଷ୍ଟ-ସରାମୂଳି, ଥାନା- ବ୍ରାହ୍ମଣୀଗାଁ, ଜିଲ୍ଲା –କନ୍ଧମାଳ),(୨)ଶ୍ୟାମସନ ମାଝୀ(ଗ୍ରାମ- ଭିଙ୍ଗୁରୁଗୁଡା, ପୋଷ୍ଟ-ସରାମୂଳି, ଥାନା- ବ୍ରାହ୍ମଣୀଗାଁ, ଜିଲ୍ଲା –କନ୍ଧମାଳ),(୩)ସନାତନ ମଳିକ(ଗ୍ରାମ-ଗାହେଜୁ, ପୋଷ୍ଟ-ହାତିମୁଣ୍ଡା, ଥାନା- ବ୍ରାହ୍ମଣୀଗାଁ, ଜିଲ୍ଲା –କନ୍ଧମାଳ),(୪)ଆଇବ ପଡ୍ରା(ଗ୍ରାମ-ବୁଜୁଲି, ପୋଷ୍ଟ-ମାଣ୍ଡିପଙ୍କା, ଥାନା- ବ୍ରାହ୍ମଣୀଗାଁ, ଜିଲ୍ଲା –କନ୍ଧମାଳ) ଓ (୫)ଲକ୍ଷ୍ମୀକାନ୍ତ ନାୟକ, (ଗ୍ରାମ-ଲୁଜୁରାମୁଣ୍ଡା, ପୋଷ୍ଟ-କଟିମାହା, ଥାନା- ଟିକାବାଲି, ଜିଲ୍ଲା –କନ୍ଧମାଳ) ସାଧାରଣ ନାଗରିକ ଭାବେ ଶୃଙ୍ଖଳିତ ଜୀବନ ଯାପନ କରୁଥିଲେ । ସେମାନେ କୌଣସି ଭାବେ କୌଣସି ଅସାମାଜିକ କାର୍ଯ୍ୟକଳାପ କିମ୍ବା ମାଓବାଦୀ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ନଥିଲେ । ଘାସିରାମ ବାଗସିଂ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରାମୂଳି ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଓ ଶ୍ୟାମସନ ମାଝୀ ସରାମୂଳି ପଞ୍ଚାୟତର ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା କରି ଅଳ୍ପ ଭୋଟରେ ହାରିଯାଇଥିଲେ । ଉଭୟ ଗ୍ରାମ ପଞ୍ଚାୟତର ବହୁବିଧ ଉନ୍ନତି କାମରେ ନିୟୋଜିତ ଥିବାବେଳେ ସେମାନକର ବନ୍ଧୁ ଆଇବ ପଡ୍ରା ଜଣେ ସାମାଜିକ କର୍ମୀ ଭାବରେ ଜଙ୍ଗଲ ଅଧିକାର ଆଇନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଭଳି ସରକାରଙ୍କ ଜନ-କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରୁଥିଲେ । ସରାମୂଳୀ ପଞ୍ଚାୟତର ତତ୍କାଳୀନ ସରପଞ୍ଚ କମଳା ପାଟମାଝୀ ଓ ତାଙ୍କର ସ୍ଵାମୀ ତଥା ପୂର୍ବତନ ସରପଞ୍ଚ କର୍ମା ପାଟମାଝୀଙ୍କ ବିପିଏଲ ଚାଉଳ ଚୋରା ଚାଲାଣ କରୁଥିବା ବେଳେ ଘାସିରାମ ବାଗସିଂ ଓ ଶ୍ୟାମସନ ମାଝୀଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକମାନେ ତାହା ଜବତ କରିଥିଲେ ଓ ୧୯ ଅଗଷ୍ଟ, ୨୦୧୨ରେ ସେମାନଙ୍କ ବିରୋଧରେ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ କରିଥିଲେ ଓ ଏଥିରେ ତାଙ୍କୁ ଆଇବ ପଡ୍ରା ଏବଂ ସନାତନ ମଳିକ ସହଯୋଗ କରିଥିଲେ । ସେହି ଅଭିଯୋଗ ପ୍ରକାରେ ପୋଲିସ ସରପଞ୍ଚ କମଳା ପାଟମାଝୀଙ୍କୁ ୧୦ ଅକ୍ଟୋବର,୨୦୧୨ରେ ଗିରଫ କରି ଜେଲ ପଠାଇଥିଲେ ଓ ତାଙ୍କର ସ୍ଵାମୀ ତଥା ପୂର୍ବତନ ସରପଞ୍ଚ କର୍ମା ପାଟମାଝୀ ଓଡିଶା ହାଇକୋର୍ଟରୁ ଆଗୁଆ ଜାମିନରେ ଆସିଥିଲେ । ସରପଞ୍ଚଙ୍କ ପରିବାର ବର୍ଗଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରୁଥିବାରୁ ଘାସିରାମ ବାଗସିଂ, ଶ୍ୟାମସନ ମାଝୀ ଓ ଆଇବ ପଡ୍ରାଙ୍କ ବିରୋଧରେ ସରପଞ୍ଚ କମଳା ପାଟମାଝୀ ଓ ତାଙ୍କ ସ୍ଵାମୀ ‘ମାଓବାଦୀଙ୍କ ନାମରେ ଚାନ୍ଦା ଆଦାୟ କରୁଛନ୍ତି’ ବୋଲି ତତ୍କାଳୀନ ଓଡିଶା ମାଓବାଦୀ ପାର୍ଟିର ନେତା ସବ୍ୟସାଚୀ ପଣ୍ଡାଙ୍କ ନିକଟରେ ଓଲଟା ଅଭିଯୋଗ କରିଥିଲେ । ଘାସିରାମ ବାଗସିଂ, ଶ୍ୟାମସନ ମାଝି ଓ ସେମାନଙ୍କ ବନ୍ଧୁ ଆଇବ ପଡ୍ରା ଓ ସନାତନ ମଳିକଙ୍କ ବିରୋଧରେ ସମ୍ପୃକ୍ତ ସରପଞ୍ଚଙ୍କ ଅଭିଯୋଗ ଆଧାରରେ ମାଓବାଦୀଙ୍କ ଡାକରା ପାଇ ସେମାନେ ‘ପ୍ରଜାକୋର୍ଟ’ ରେ କୈଫିୟତ ଦେବାକୁ କନ୍ଧମାଳ-ଗଞ୍ଜାମ ଓ ଗଜପତି ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଭାଲିଆଗୁଡା ଗ୍ରାମ ସନ୍ନିକଟ ଜଙ୍ଗଲ କୁ ୨୦୧୨ ନଭେମ୍ବର ୧୩ ତାରିଖରେ ଯାଇ ୧୪ ତାରିଖ ସକାଳୁ ଫେରୁଥିବା ବେଳେ ପୋଲିସର ଏକତରଫା ଗୁଳିରେ ପ୍ରାଣ ହରାଇଥିଲେ, ଯାହାକୁ ପୋଲିସ ‘ମାଓବାଦୀ ଓ ପୋଲିସ ର ଗୁଳି ବିନିମୟ ‘ଦର୍ଶାଇ ନାଟକ ରଚନା କରିଥିଲା । ଟିକାବାଲି ଅଞ୍ଚଳର ଲକ୍ଷ୍ମୀକାନ୍ତ ନାୟକ ଓ ଜୁନେସ ଦିଗାଲ ନିଜ ନବଜାତ ଶିଶୁର ନାମକରଣ ଉତ୍ସବ ପାଇଁ ବନ୍ଧୁ ଆୟୁବ ପଡ୍ଡ୍ରାକୁ ନିମନ୍ତ୍ରଣ କରିବାକୁ ଆସି ସେମାନଙ୍କ ଠାରୁ ସବୁ ବିଷୟ ଶୁଣି କୌତୁହଳ ବଶତଃ ସେଠାକୁ ଯାଇଥିବା ବେଳେ ଲକ୍ଷ୍ମୀକାନ୍ତ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିଲେ ଓ ଜୁନେସ କୁ ପୋଲିସ ଗିରଫ କରି ବହୁ ସଙ୍ଗୀନ ଦଫା ଲଗାଇ ଜେଲକୁ ପଠାଇବାର ପ୍ରାୟ ୨ବର୍ଷ ପରେ ସେ ନିର୍ଦ୍ଦୋଷ ରେ ଖଲାସ ହୋଇଥିଲେ । ଏପରିକି ୫ ଜଣ ମୃତକଙ୍କ ଶବ ମୋହନା ଥାନାକୁ ଆଣିବା ପାଇଁ ଭାଲିଆଗୁଡା ଗାଁର ଯେଉଁ ୪ଜଣ ଯୁବକଙ୍କୁ ପୋଲିସ ୧୬୦୦ ଟଙ୍କା ଦେଇ ନିୟୋଜିତ କରିଥିଲା , ସେମାନଙ୍କୁ ପୋଲିସ ପୁଣି ହାତଗୋଡ ବାନ୍ଧି ଗାଁ ଦାଣ୍ଡରେ ପକାଇ ମାଓବାଦୀ ନାଁ ରେ ଗିରଫ କରି ଜେଲ ପଠାଇଥିଲା ଏବଂ ପ୍ରାୟ ୨-୩ ବର୍ଷ ପରେ ସେମାନେ ମଧ୍ୟ ନିର୍ଦ୍ଦୋଷ ରେ ଖଲାସ ହୋଇଥିଲେ ।
ଘଟଣା ଘଟିବାର ଠିକ ପରଦିନ କୋରାପୁଟ ଅଞ୍ଚଳର ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ରତନ ଦାସ, ଓଡିଶା ଆଦିବାସୀ ମଞ୍ଚର ପୂର୍ବତନ ଆବାହିକା ବିଦୁଲତା ହୁଇକାଙ୍କ ନେତୃତ୍ଵ ରେ ଏକ ତଥ୍ୟାନୁସନ୍ଧାନୀ ଦଳ ଭାଲିଆଗୁଡା ଗ୍ରାମକୁ ଘଟଣା ସମ୍ପର୍କରେ ଜାଣିବାକୁ ଯାଇଥିଲେ । ସେମାନେ ଦେଖିଥିଲେ ଯେ ୪ ଜଣ ଆଦିବାସୀ ଯୁବକଙ୍କୁ ହାତଗୋଡ ବାନ୍ଧି ଗାଁ ଦାଣ୍ଡରେ ପକାଇଦିଆଯାଇଛି ଓ ତାଙ୍କୁ ପୋଲିସ ଫୋର୍ସ ପହରା ଦେଉଛନ୍ତି । ସେମାନେ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ କିଛି ଜାଣିବାକୁ ଚାହିଁବାରୁ ପୋଲିସ ସେମାନଙ୍କୁ ବାରଣ କରିଥିଲେ ଓ ଫଟୋ ଉଠାଇବାକୁ ନିଷେଧ କରିଥିଲେ । ସେଠାରୁ ଫେରି ଘଟଣା ସମ୍ପର୍କରେ ସେମାନେ ମୋହନାରେ ସାମ୍ବାଦିକ ମାନଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଏହି ବର୍ବୋରଚିତ ହତ୍ୟା ବିରୋଧରେ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ ତିନୋଟି ଗଣ ସଂଗଠନର କର୍ମକର୍ତ୍ତା । ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି , ବନବାସୀ ସୁରକ୍ଷା ପରିଷଦ କନ୍ଧମାଳର ବଳଭଦ୍ର ମଳିକ ଓ କନ୍ଧମାଳ ଆଦିବାସୀ ମଞ୍ଚର ଜୁନୁସ ପ୍ରଧାନଙ୍କ ନେତୃତ୍ଵରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ନିରପରାଧ-ନିର୍ଦ୍ଦୋଷ ଆଦିବାସୀ ଓ ଦଳିତ ମାନଙ୍କୁ ହତ୍ୟାକୁ ଦୃଢ ନିନ୍ଦା କରାଯାଇ ଘଟଣାର ନିରପେକ୍ଷ ତଦନ୍ତ, ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ଓ ହତ୍ୟାକାରୀ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କେସ ରୁଜ୍ଜୁ କରିବାକୁ ଦାବି କରିଥିଲେ ସଂଗଠନର କର୍ମକର୍ତ୍ତା ବୃନ୍ଦ ।
ଘଟଣା ଘଟିବାର ପ୍ରାୟ ଏକବର୍ଷ ମଧ୍ୟରେ ବିଭିନ୍ନ ମାନବିକ ଅଧିକାର ସଂଗଠନ ଯଥା ଆନ୍ଧ୍ର ପ୍ରଦେଶର ହ୍ୟୁମାନ ରାଇଟ ଫ୍ରଣ୍ଟ(HRF), ବିଭିନ୍ନ ମାନବିକ ଅଧିକାର ସଂଗଠନ ମାନଙ୍କୁ ନେଇ ଗଠିତ ସି.ଡି.ଆର.ଓ(CDRO), ଡ଼ବ୍ଲୁ .ଏସ.ଏସ(WSS)ଇତ୍ୟାଦି ସଂଗଠନର ତଥ୍ୟାନୁସନ୍ଧାନୀ ଦଳ ଘଟଣା ସମ୍ପର୍କରେ ଅନୁସନ୍ଧାନ କରି ଏହା କିପରି ଏକ ମିଛ ଏନକାଉଣ୍ଟର ଥିଲା ଓ ଗଣ ମାଧ୍ୟମ ଜରିଆରେ ‘ତିନି ତୁଣ୍ଡରେ ଛେଳି କୁକୁର’ ଭଳି ମାଓବାଦୀଙ୍କ ସହ ଏନକାଉଣ୍ଟରର ରୂପ ଦିଆଯାଇ ରାଜ୍ୟ ପୋଲିସର ବଡ ସଫଳତା ଭାବରେ ଚିତ୍ରଣ କରାଯାଇଥିଲା , ତା’ର ପର୍ଦ୍ଦାଫାସ କରିଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ମଧ୍ୟ ଅକାମୀ, ତତ୍କାଳୀନ ରାଜ୍ୟପାଳ ମାନନୀୟ ଚନ୍ଦ୍ରକାନ୍ତ ଭଣ୍ଡାରେ ତାଙ୍କର ପତ୍ରସଂଖ୍ୟା- Pl-58/2013 & Memo No. 1789/SG (Ptn.) Dated 24/06/2013 ଦ୍ଵାରା ଘଟଣାର ଉପଯୁକ୍ତ ତଦନ୍ତ ଓ ପଦକ୍ଷେପ ନେବାକୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିଲା । ଉପରୋକ୍ତ ସମସ୍ତ ପଦକ୍ଷେପ ସତ୍ତ୍ଵେ ଆଜି ନିରୀହ ମୃତକ ମାନଙ୍କର ପରିବାର ବର୍ଗ ଆଶା-ନିରାଶା ଓ ଆଶଙ୍କା ମଧ୍ୟରେ ବଞ୍ଚି ରହିଛନ୍ତି । ଅଭାବ, ଅନାଟନ ଓ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଜୀବନ ଓ ଯନ୍ତ୍ରଣାର ଦୋଛକି ମଧ୍ୟରେ ନ୍ୟାୟ କେବେ ମିଳିବ, ସେହି ଆଶା ସେମାନଙ୍କର ଧୀରେ ଧୀରେ ମରିଯାଉଛି । ୨୦୧୨ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସେମାନେ ନ୍ୟାୟ ପାଇଁ ସେମାନଙ୍କର ଅଭିଯାନ ଜାରି ରଖିଛନ୍ତି ।
ଏହି ପରିପ୍ରେକ୍ଷୀରେ ନିର୍ଦ୍ଦୋଷ ବ୍ୟକ୍ତି ମାନଙ୍କର ହତ୍ୟାର ତଦନ୍ତ ଓ ବେସାହାରା ହୋଇଯାଇଥିବା ତଥା ମାନବିକ ଅଧିକାର ଉଲଙ୍ଘନର ଶିକାର ହୋଇଥିବା ପରିବାର ଗୁଡିକୁ ନ୍ୟାୟ ପ୍ରଦାନ କରିବାକୁ ପ୍ରତିବାଦକାରୀ ମାନେ ଦାବି କରିଥିଲେ ଯେ, ଭାଲିଆଗୁଡା ମିଛ ଏନକାଉଣ୍ଟର ସମେତ ସମସ୍ତ ଏନକାଉଣ୍ଟର ଓ ହାଜତ ମୃତ୍ୟୁ ଘଟଣାକୁ ଓଡିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ଵତନ୍ତ୍ର ଅନୁସନ୍ଧାନ ଟିମ (SIT)ଗଠନ କରି ତଦନ୍ତ କରାଯାଉ , ପ୍ରତ୍ୟେକ ମୃତକ ମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ, ନିର୍ଦ୍ଦୋଷ ଲୋକମାନଙ୍କ ହତ୍ୟା ପାଇଁ ଦାୟୀ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ନରହତ୍ୟା ମକଦ୍ଦମା ରୁଜ୍ଜୁ କରାଯାଉ, ୟୁ.ଏ.ପି.ଏ(UAPA), ଓ ଦେଶଦ୍ରୋହ(Sedition) ଭଳି ଔପନିବେଶିକ ଆଇନ ଗୁଡିକୁ ଅବିଳମ୍ବେ ରଦ୍ଦ କରାଯାଉ । କମାପଲ୍ଲୀ ଛକରୁ ଶତାଧିକ ବିକ୍ଷୋଭକାରୀ ଶୋଭାଯାତ୍ରାରେ ଆର୍.ଡି. ସି. ଅଫିସ ସମ୍ମୁଖକୁ ଯାଇଥିଲେ ଓ ସେଠାରେ ଆୟୋଜିତ ସଭାରେ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ସିପିଆଇ (ଏମ୍.ଏଲ୍)-ରେଡ୍ ଷ୍ଟାର ର ନେତା ଶଙ୍କର ସାହୁ, ସିପିଆଇ (ଏମ୍.ଏଲ୍)-ନ୍ୟୁ ଡେମୋକ୍ରାସୀର ପ୍ରତାପ ପ୍ରଧାନ, ମୃତ ଘାସୀରାମ ବାଗସିଂଙ୍କର ପତ୍ନୀ ଲକ୍ଷ୍ମୀ ବାଗସିଂ, ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ର, ବନବାସୀ ସୁରକ୍ଷା ପରିଷଦର ନେତା ବଳଭଦ୍ର ମଳିକ, ଶରତ ମଳିକ, ସୁକୁମାରୀ ପ୍ରଧାନ, ସୁବର୍ଣ୍ଣ ବଳୀୟାର ସିଂ, ଚନ୍ଦ୍ର ଉଠାଣ ସିଂ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ବୋଲି ସଂଗଠନର କର୍ମକର୍ତ୍ତା ମାନେ ଘୋଷଣା କରିଥିଲେ ।