ପୋଲସରା,୨୨/୧୦(ପିପିଟି): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପୋଲସରା ଶାଖାର ସମ୍ମିଳନୀ ପାଟିଗଡ ରୋଡ ସ୍ଥିତ ଯୋଗାସନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ପାର୍ଟିର ବରିଷ୍ଠ ଗୌରହରି ବିଷୋୟୀ ପାର୍ଟି ପତାକା ଉତ୍ତୋଳନ କରିଥିବା ବେଳେ, ଶିବରାମ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଆରମ୍ଭ ହୋଇଥିଲା। ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ସମ୍ମିଳନୀକୁ ଉଦ୍ଘାଟନ କରି କହିଥିଲେ ଯେ କେନ୍ଦ୍ର ସରକାର ମୁଷ୍ଟିମେୟ ଶିଳ୍ପପତି ମାନଙ୍କ ଇଙ୍ଗିତ ରେ ଅତ୍ୟାବଶ୍ୟକ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବଢାଇ ଚାଲିଛନ୍ତି। ଫଳରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ବଞ୍ଚିବା ଦୁର୍ବିସହ ହୋଇ ପଡିଲାଣି । ଏଣୁ ଏଥିରୁ ମୁକୁଳିବା ପାଇଁ ବ୍ୟାପକ ଜନ ଆନ୍ଦୋଳନ ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାର୍ଟିର ପୋଲସରା ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ସାମଲ ଏବଂ ଅଖିଳ ଭାରତ ଯୁବକ ସଂଘର ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ ପ୍ରମୁଖ ସମ୍ମିଳନୀରେ ଉଦବୋଧନ ଦେଇ ପୋଲସରା ଅଞ୍ଚଳ ରେ ପାର୍ଟି ସଂଗଠନକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ହରିହର ପାତ୍ର ଶୋକ ପ୍ରସ୍ତାବ ଆଗତ କରିଥିବା ବେଳେ ବିଜୟ ସାମନ୍ତରା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଝଡିଆ ସାହୁ , ଶିଶିର ପ୍ରଧାନ , ସାରଥି ସାହୁ, ରବି ନାରାୟଣ ମିଶ୍ର ଏବଂ ପର୍ଶୁରାମ ସାହୁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ପାଇଁ ବିଜୟ ସାମନ୍ତରା ଶାଖା ସମ୍ପାଦକ ଓ ନରେନ୍ଦ୍ର ପ୍ରଧାନ ସହ ସମ୍ପାଦକ ଭାବେ ସର୍ବସମ୍ମତ କ୍ରମେ ନିର୍ବାଚିତ ହୋଇଥିଲେ।
( ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)
Prev Post