ଭଞ୍ଜନଗର, ୦୩/୦୨(ପିପିଟି) :ଭାରତର ଯେଉଁ କେତୋଟି ସାରସ୍ଵତ ପୀଠ ରହିଛି ତନ୍ମଧ୍ୟରୁ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ବତ ପୀଠ ଭଞ୍ଜନଗର ସହରର ନାଭି କେନ୍ଦ୍ରରେ ଅବସ୍ଥିତ ଭଞ୍ଜ ସାହିତ୍ୟ ପରିଷଦରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୮୦ତମ ସାମ୍ବତ୍ସରିକ ଜୟନ୍ତୀ ମହାସମାରୋହରେ ପବିତ୍ର ବସନ୍ତ ପଞ୍ଚମୀ ତିଥୁରେ ରବିବାର ଦିନ ପାଳିତ ହୋଇଯାଇଛି। ପୂର୍ବ ପ୍ରଚଳିତ ପାରମ୍ପରିକ ଭିତ୍ତିରେ ଭଞ୍ଜନଗର ସହର ମୁଖ୍ୟ ରାସ୍ତାରେ ଥିବା ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ସ୍ଥାନୀୟ ଅଧିବାସୀଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତତ୍ ପରେ ବାଗଦେବୀ ସରସ୍ଵତୀ ଓ ଉପେନ୍ଦ୍ର ଭଞ୍ଜଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ରବିନ୍ଦୁ ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବିଶିଷ୍ଟ ଅତିଥି ଯାହାଙ୍କୁ ଆଜି ” ଭଞ୍ଜ ଜ୍ୟୋତି” ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଡ଼ କମ୍ବୁପାଣି ପାଣି ସାମନ୍ତ, ମୁଖ୍ୟ ଆଲୋଚକ ତଥା ବକ୍ତା ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ଭଞ୍ଜ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ଭଞ୍ଜ ଗବେଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ଓ ଅଧ୍ୟାପକ ଦୁର୍ଗା ମାଧବ ଦାଶଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ
ଗାନ କରାଯାଇଥିବା ବେଳେ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଲୋକନାଥ କର I ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ନିଜର ଭଞ୍ଜ ସାହିତ୍ୟରେ ଥିବା ପ୍ରବେଶକୁ ଏକ କାବ୍ୟିକ ଝଲକ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମାନ୍ୟବର ବିଧାୟକ ” ମାଟିର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବୀରପୁତ୍ର ଚକରା ବିଷୋୟୀଙ୍କୁ ବିଶ୍ବ ଦରବାରରେ ପରିଚିତ କରାଇବାକୁ ଯତ୍ପରୋନାସ୍ତି ଉଦ୍ୟମ କରୁଥିବା ” ବର୍ଣ୍ଣନା କରିଥିଲେ । ଓଡ଼ିଶାର ସ୍ୱନାମଧନ୍ୟ ବକ୍ତା, ବାଗ୍ମୀ, ବ୍ୟାଖ୍ୟାକାର ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଭଞ୍ଜ ସାହିତ୍ୟରେ ଜଗନ୍ନାଥଙ୍କ କଥାମୃତ ମାଧ୍ୟମରେ ଓଡ଼ିଆ ଅସ୍ମିତା ଏବଂ ଭଞ୍ଜ ସାହିତ୍ୟରେ ମହାକୁମ୍ଭରେ ସ୍ନାନ , ଆଧ୍ୟାତ୍ମିକ ଏବଂ ସମାଜ ଚେତନା, ଶବ୍ଦ ଚାତୁରୀ, ରସ ଏବଂ ସୌନ୍ଦର୍ଯ୍ୟବୋଧ , ଓଡ଼ିଆ ଅସ୍ମିତା ଭଂଜ ସାହିତ୍ୟରେ ବାରମ୍ବାର ପ୍ରତିଫଳନର ଦୃଷ୍ଟାନ୍ତ ଦେଇ ଏକ ସାରଗର୍ଭକ , ମାର୍ମିକ ଓ ତାତ୍ତ୍ବିକ ଆଲୋଚନା କରିଥିଲେ । ସଂସ୍କୃତ ସାହିତ୍ୟ ସହିତ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ଉତ୍କର୍ଷ ଏବଂ କବିସୂର୍ଯ୍ୟ ବଳଦେବଙ୍କ କାବ୍ୟର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ ସହ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ସ୍ଵକୀୟ ବାଗ୍ମିତାରେ ଅଭିଭୂତ କରିଥିଲେ । ବିଶିଷ୍ଟ ଅତିଥୁ ଡ଼ କମ୍ବୁପାଣି ସାମନ୍ତ ଭଞ୍ଜଙ୍କ କାବ୍ୟରେ ଥିବା ସକାରାତ୍ମକ ଚେତନାର ବହୁ ଦୃଷ୍ଟାନ୍ତ ଦେଇ ଭଞ୍ଜ ସାହିତ୍ୟର ଅଧ୍ୟୟନକାରୀ ଓ ଅନୁଗାମୀ ହେବାପାଇଁ ଆହ୍ବାନ ଦେଇଥିଲେ। ସମ୍ମାନୀତ ଅତିଥି ଶ୍ରୀ ମହାପାତ୍ର ଭଂଜଙ୍କ ଅତୁଳନୀୟ କଳାକୁ ଲୋକପ୍ରିୟ କରିବାରେ ସମସ୍ତେ ହାତ ମିଳାଇ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ ଦେଇଥିଲ । ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା ଭଞ ସାହିତ୍ୟରେ ଥିବା ଆଳଂକାରିକତା ଏବଂ ସ୍ୱଦେଶ ପ୍ରୀତି ଭାବର ଅନେକ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ସାମ୍ବାଦିକ ଲୋକନାଥ କର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ମଞ୍ଚଶିଳ୍ପୀ ଉପେନ୍ଦ୍ର କୁମାର ଶତପଥୀ, ଟୁନା ଜେନା, ସୀମାଞ୍ଚଳ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ରିପୋର୍ଟ- ଜେ କେ ପଟ୍ଟନାୟକ