ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ ; ସାତ ସପନ ହୋଇଛି ଆବାସ ଯୋଜନା ।

0 325

ଉଲୁଣ୍ଡା,୦୫/୦୭(ପିପିଟି); ସରକାର ଗରିବ ଲୋକଙ୍କ ପାଇଁ କେତେ କଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟରେ କେହି ବି ଅର୍ଦ୍ଧ।ହାରରେ ରହିବେ ନାହିଁ ବୋଲି ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ସହ ରହିବା ପାଇଁ ଆବାସ ଯୋଜନା ରହିଛି ।ହେଲେ ସରକାରଙ୍କ ଏ ମାଳ ମାଳ ଯୋଜନା କାହା ପାଇଁ ? ଏବେ ବି ଅନେକ ଯୋଜନା ପ୍ରକୃତ ଗରିବ ହିତାଧିକାରୀଙ୍କ ପାଖରେ ପହଂଚି ପାରୁ ନ ଦେଖିବାକୁ ମିଳିଛି । କିଏ ଘର ଖଣ୍ଡିଏ ପାଇଁ ସରକାରଙ୍କ ଠାରେ ଗୁହାରି କରୁଛି ତ ଆଉ କିଏ ଭତ୍ତା ବା ରାସନ କାର୍ଡ ପାଇଁ ଏ ଅଫିସରୁ ସେ ଅଫିସ ଦୌଡୁଛନ୍ତି । ହେଲେ କେହି ବି ଶୁଣୁ ନାହାନ୍ତି ଏମାନଙ୍କ କଥା । ଯେମିତି ଗରିବ ଲୋକଙ୍କ କଥା ଓ ବ୍ୟଥା ଶୁଣିବାକୁ କୌଣସି ସରକାରୀ କର୍ମଚାରୀ ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଖରେ ସମୟ ନାହିଁ । ଏମିତି ଏକ ବ୍ୟଥା ଓ ବେଦନାର କଥା ଆମେ କହୁଛୁ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମ ପଞ୍ଚାୟତର ବିକଲପୁର ଗ୍ରାମରେ ରହୁଥିବା ଜଣେ ମହିଳାଙ୍କର ।ତାଙ୍କ ନାମ ଭୂମିସୁତା ନାଏକ। ବୟସ ୭୪ ବର୍ଷ । ଅତି ଦୟନୀୟ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି । ଭୂମିସୁତାଙ୍କ ଅବସ୍ଥା କହିଲେ ନ ସରେ । ବିପଦଜ୍ଜନକ ଗୃହରେ ଖଜୁରୀ ପତ୍ର, ଚିରା କପଡା ଛାଉଣୀ କରି ଖରା ବର୍ଷା ଶୀତରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି । ଭୂମିସୁତା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ପାଖକୁ ବାରମ୍ବାର ଘର ଖଣ୍ଡିଏ ଓ ଭତ୍ତାଟିଏ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତାରୁ ବଞ୍ଚିତ । ଭୂମିସୁତାଙ୍କ ପରିବାର କହିଲେ ସେ ଏକା, ସାହା ବୋଲି ତାଙ୍କର କେହି ନାହାଁନ୍ତି । ଘର ଖଣ୍ଡିଏ ପାଇଁ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଗୁହାରି କରିଛନ୍ତି । ସରକାର ତୁରନ୍ତ ଭୂମିସୁତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି ହେଉଛି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.