ମାଲକାନଗିରି,୨୫/୦୧(ପିପିଟି): ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ଉପରେ ଏକ ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ସାଧାରଣ ପର୍ଯ୍ୟବେକ୍ଷକ ରଘୁମଣି ଗମାଙ୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ଗମାଙ୍ଗ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ଆଦର୍ଶ, ଆଚରଣ ବିଧିକୁ ସମସ୍ତେ ଠିକ ରୂପେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ କୋଭିଡ-୧୯ ନିୟମାବଳୀକୁ ମଧ୍ୟ ପାଳନ କରିବା ପାଇଁ ଆଦର୍ଶ ଆଚରଣ ବିଧି ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲାପାଳ ବିଶାଲ ସିଂ ସର୍ବସାଧାରଣ ସ୍ଥାନରେ ପୋଷ୍ଟାର ବ୍ୟାନର ଇତ୍ୟାଦି ନଲଗାଇବା ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପରାମର୍ଶ ଦେବା ସହ ପଦଯାତ୍ରା,ଶୋଭାଯାତ୍ରା, ନକରିବା ଉପରେ ମଧ୍ୟ ଗୁରୁତ୍ୱରୋପ କରିଥିଲେ । ଉକ୍ତ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର.ଡି.ଏ, ବାଳ ମୁକୁନ୍ଦ ଭୂୟା, ଉପ-ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଯୁଗଳ କିଶୋର ନାଏକ ଓ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ଯୋତ୍ସ୍ନାମୟୀ ଆଚାର୍ଯ୍ଯ ପ୍ରମୁଖ ଓ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ସଭାପତି ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)