ବିଜେପି ଲୋକପ୍ରିୟତା ହରାଇ ଗୁଣ୍ଡାରାଜର ଧମକ ଦେଉଛି ଏନେଇ ବିଜେଡିର ପ୍ରତିବାଦ,ସୁକିନ୍ଦାବାସୀ ଉଚିତ ଜବାବ ଦେବେ ।

0 224

ଯାଜପୁର,୦୪/୧୧(ପିପିଟି): ଗତକାଲି ଗଣ ମାଧ୍ୟମରେ ଏକ ବିବୃତି ଦେଇ ବିଜେପି ଯୁବନେତା ବାବୁନି ରାଜ ବିଜେପି ଗୁଣ୍ଡାରାଜ କରିବ ବୋଲି ଖୋଲା ଧମକ ଦେଇଥିଲେ । ଏହା ସହିତ ସେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ ତାଙ୍କ ପୁଅ ପୂର୍ବତନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ । ଯାହାର ତୀବ୍ର ପ୍ରତିବାଦ କରିଛି ବିଜେଡି । ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା ସୁକିନ୍ଦା ବିଜେଡି ପ୍ରବକ୍ତା ଦେବୀ ପ୍ରସାଦ ମହାନ୍ତି ଏହାର ତୀବ୍ର ବିରୋଧ କରିଛନ୍ତି । ଏକ ସମ୍ବାଦିକ ସମ୍ମଳନୀ ରେ ସେ କହିଛନ୍ତି ନିର୍ବାଚନରେ ସୁକିନ୍ଦାର ଜନ ସାଧାରଣ ବିଜେପିକୁ ବିଜୟୀ କରିଥିଲେ । ବିଜେଡି ମଥା ପାତି ଜନ ସାଧାରଣଙ୍କ ନିଷ୍ପତିକୁ ଗ୍ରହଣ କରିଛି । ହେଲେ ନିର୍ବାଚନ ପରେ ଆମ ପ୍ରିୟ ନେତା ଇଂ ପ୍ରୀତିରଞ୍ଜନ ଘଡାଇ ପୂର୍ବଭଳି ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହେଉଛନ୍ତି । ମାଙ୍ଗଳିକ କାର୍ଯ୍ୟ ଠାରୁ ନେଇ ସ୍ମଶାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସାମିଲ ହେବା ତାଙ୍କ ଲୋକପ୍ରିୟତାକୁ ବେଶ ବଢ଼ାଇ ଦେଇଛି । ଅପରପକ୍ଷେ ବିଜୟୀ ହେବା ପରେ ବିଜେପି ନେତା ଓ କର୍ମୀ ଚାନ୍ଦା ଆଦାୟକୁ ପ୍ରାଧାନ୍ୟ ଦେଇଛନ୍ତି । ଆଉ ଚାନ୍ଦା ଆଦାୟକୁ ସୁଗମ କରିବାକୁ ଶାନ୍ତ ସୁକିନ୍ଦାକୁ ଅଶାନ୍ତ କରି ଦେଇଛନ୍ତି । ବିଜେପି ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିଲା ବେଳେ ସୁକିନ୍ଦାରେ ବିଜେପି କର୍ମୀ ନିରୀହ ଆଦିବାସୀ,ଦଳିତ ଓ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରୁଛନ୍ତି । ସରକାର ଗଠନ ପରଠାରୁ ବିଜେପି ସୁକିନ୍ଦାରେ ରକ୍ତ ମୁଖା ହୋଇ ପଡିଛି । ଯାହାକୁ ନେଇ ସୁକିନ୍ଦାରେ ଆତଙ୍କର ବାତା ବରଣ ସୃଷ୍ଟି ହୋଇଛି । ଏପରି ସ୍ଥଳେ ସାଧାରଣ ଲୋକେ ଏବେ ଇଂ ଘଡାଇଙ୍କ ଆଡ଼କୁ ଢଳିଛନ୍ତି । ଏହା ବିଜେପି ଚିନ୍ତାକୁ ବଢ଼ାଇ ଦେଇଛି । ଦୁଇଦିନ ତଳେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପ୍ରୀତିରଞ୍ଜନ ଘଡାଇ ଦୁଃଖ ପ୍ରକାଶ କରିବା ସହିତ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହିତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ । ହେଲେ ବିଜେପି ନେତା କିମ୍ବା କର୍ମୀ ସାଧାରଣ ଦୁଃଖ ପ୍ରକାଶ କଲେ ନାହିଁ । ଏଥିରେ ଚିହିଙ୍କି ଉଠିଛି ବିଜେପି । ନିଜ କର୍ମ ପାଇଁ ସୁକିନ୍ଦାରେ ନିନ୍ଦିତ ହୋଇଥିବା ବାବୁନି ରାଜ ବେଶ ପ୍ରତିକ୍ରିୟା ଶୀଳ ହୋଇ ଉଠିଛନ୍ତି । ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଲା ବେଳେ ନିଜ ଭାଷା ଜ୍ଞାନ ଓ ଶାଳୀନତାକୁ ମଧ୍ୟ ଭୁଲି ଯାଇଛନ୍ତି । ସୁକିନ୍ଦାବାସୀଙ୍କ ଆଶୀର୍ବାଦରେ ଦୀର୍ଘ ୩୫ ବର୍ଷର ଶାସନ ଡୋର ଧରିଥିବା ପିତୃ ତୁଲ୍ୟ ବରିଷ୍ଠ ରାଜନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ ତାଙ୍କ ସୁପୁତ୍ର ଇଂ ପ୍ରୀତିରଞ୍ଜନ ଘଡାଇଙ୍କୁ ଅଶାଳୀନ ଭାଷାରେ ଆକ୍ଷେପ କରି ବିଜେପି ଅସ୍ମିତାର ପରିଚୟ ଦେଉଛନ୍ତି । ଲୋକପ୍ରିୟତା ହରାଇ ସାରିବା ପରେ ଗଣ ମଧ୍ୟମ ଆଗରେ ଗୁଣ୍ଡାରାଜ କରିବାକୁ ଖୋଲା ଖୋଲି ଧମକ ଦେଇ ସୁକିନ୍ଦାବାସୀଙ୍କୁ ଆତଙ୍କିତ କରିବାର ହୀନ ଉଦ୍ୟମ କରୁଛନ୍ତି ଶ୍ରୀ ରାଜ। ବାବୁନି ରାଜ ଦୀର୍ଘ ୫୪ ଦିନ ଧରି ଜେଲରେ କାହିଁକି ଥିଲେ ବୋଲି ସ୍ପଷ୍ଟ କରନ୍ତୁ ବୋଲି ମଧ୍ୟ ମହାନ୍ତି ଦାବି କରିଥିଲେ । କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରି ବିଜେଡିକୁ ଆସିଥିବା ବାବୁନି ରାଜ ନିଜର ଆଶାକୁ ବିଜେଡିରେ ଚରିତାର୍ଥ ନ କରି ପାରି ବିଜେପିରେ ସାମିଲ ହୋଇଛନ୍ତି । ଏବେ ମନ୍ତ୍ରୀଙ୍କ ଚାମଚା ସାଜି ଚାନ୍ଦା ଆଦାୟର ନାୟକ ସାଜିଛନ୍ତି । ସୁକିନ୍ଦାରେ ଶିଳ୍ପକୁ ଅଭିଶାପ କହୁଥିବା ମନ୍ତ୍ରୀଙ୍କ ଏହି ଚାମଚାଙ୍କ ଚାନ୍ଦା ଆଦାୟକୁ ନେଇ ସବୁ ଶିଳ୍ପ ପ୍ରତିଷ୍ଠାନରେ ମଧ୍ୟ ଆତଙ୍କ ଖେଳି ଗଲାଣି । ନିନ୍ଦିତ ହେଲା ପରେ ବାବୁନି ରାଜ ନିଜକୁ ନିନ୍ଦାରୁ ବଞ୍ଚାଇବା ପାଇଁ ଅନ୍ୟ ଉପରେ ଦୋଷ ଲଦି ସୁକିନ୍ଦାବାସୀଙ୍କୁ ଭଣ୍ଡାଇବାର ଉଦ୍ୟମ କରୁଛନ୍ତି । ବାବୁନି ରାଜ ଯେଉଁ ଅଭିଯୋଗ କରୁଛନ୍ତି ତାର ସତ୍ୟତା ଲୋକେ ଜାଣି ସାରିଛନ୍ତି । କୋର୍ଟ ନିଷ୍ପତ୍ତିରୁ କେହି ଉର୍ଦ୍ଧ୍ବରେ ନୁହଁନ୍ତି । ଅନ୍ୟ ଉପରେ ଦୋଷ ଲଦୁଥିବା ବାବୁନି ରାଜ ନିଜ ନେତାଙ୍କ ବିରୁଦ୍ଧରେ ପ୍ରମାଣିତ ହୋଇଥିବା ଓ ବିଚାର ଚାଲିଥିବା ମାମଲା ବିଷୟରେ ପ୍ରକାଶ କରି ନିଜ ନିରପେକ୍ଷତାର ପରିଚୟ ଦେବେକି ବୋଲି ପ୍ରଶ୍ନ କରିଥିଲେ । ଲୋକମାନଙ୍କୁ ଆତଙ୍କିତ କରି, ଆକ୍ରମଣ କରି ସୁକିନ୍ଦା ମାଟିରେ ରକ୍ତର ଛିଟା ପକାଇ ସାରିଥିବା ବିଜେପି ଔଷଧ ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଛି । ସୁନାର ସୁକିନ୍ଦାକୁ ଅଶାନ୍ତ କରି ପୁଣି ଗୁଣ୍ଡାରାଜର ଧମକ ଦେଉଥିବା ବିଜେପି ଓ ବାବୁନି ରାଜକୁ ସୁକିନ୍ଦାବାସୀ ଚିହ୍ନି ସାରିଛନ୍ତି। ବିଜେଡି ଓ ସୁକିନ୍ଦାର ପ୍ରିୟ ନେତା ଇଂ ପ୍ରୀତିରଞ୍ଜନ ଘଡାଇ ଲୋକଙ୍କ ସେବା କରୁଥିଲେ ଆଗକୁ କରିବେ ମଧ୍ୟ । ଦଳ ଓ ନେତାଙ୍କ ସେବାରେ ବାଧକ ହେବାକୁ ଉଦ୍ୟମ କଲେ ସୁକିନ୍ଦାବାସୀ ଏହାର ଉଚିତ ଜବାବ ଦେବେ ।

Leave A Reply

Your email address will not be published.