ବାଲିଆପାଳ ପଞ୍ଚାୟତ ସମିତି ବୈଠକ ।

0 205

ବାଲିଆପାଳ,୦୮/୧୧:ବାଲିଆପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ଶିକ୍ଷା,ସ୍ବାସ୍ଥ୍ୟ, ବିଦ୍ୟୁତ,କୃଷି, ପାନୀୟଜଳ,ଗ୍ରାମ୍ୟ ଉନ୍ନୟନ,ଉଦ୍ୟାନ କୃଷି ଆଦି ବିଷୟରେ ଆଲୋଚନା ସମୟରେ ସରପଞ୍ଚ ଓ ସଦସ୍ୟ ମାନେ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲେ। ଶିକ୍ଷା ବିଭାଗରେ ଆଲୋଚନା ବେଳେ ମଧୁପୁରା ପଞ୍ଚାୟତର ହାସିମପୁର ହାଇସ୍କୁଲରେ ବିନା ଶିକ୍ଷକରେ ବିଦ୍ୟାଳୟ ଚାଲିଥିବା କଥା ଆଲୋଚନା ବେଳେ ଏବିଇଓ ମୀନା ରାଣୀ ସାହୁଙ୍କୁ ସରପଞ୍ଚ ଓ ସଦସ୍ୟ ମାନେ ବିଭିନ୍ନ ପ୍ରଶ୍ନ ବାଣରେ ପୋତି ପକାଇଥିଲେ। ବିଦ୍ୟୁତ ବିଭାଗ ବିଷୟ ରେ ଆଲୋଚନା ବେଳେ ଟାଟା କମ୍ପାନୀ ଆସିବା ପରେ ବିଦ୍ୟୁତ ସରବରାହରେ ବହୁ ବ୍ୟାଘାତ ହେଉଥିବା ନେଇ ସରପଞ୍ଚ ଦେବ କୁମାର ଦେ, ସଦସ୍ୟ ଶାନ୍ତନୁ ମହାପାତ୍ର, ମଧୁପୁରା ପଞ୍ଚାୟତର ସଦସ୍ୟ ସୁଶାନ୍ତ କୁମାର ସେଠୀ ଅଭିଯୋଗ କରିବା ସହିତ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟର ମରାମତି ଦାୟିତ୍ଵ କାହାର ବୋଲି ପ୍ରଶ୍ନ କରିଥିଲେ। ଅନେକ ଷ୍ଟ୍ରିଟ ଲାଇଟ ଜଳୁନଥିଲେ ମଧ୍ଯ ତାର ବିଲ ପଞ୍ଚାୟତକୁ ଦେବାକୁ ପଡୁଛି କାହିଁକି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ଆଗମୀ ବିଧାନସଭାରେ ଏବାବଦରେ ବିଧାୟିକା ଶ୍ରୀମତୀ ଜେନା ପ୍ରଶ୍ନ ରଖିବେ ବୋଲି କହିଛନ୍ତି । କୃଷି ସମ୍ବନ୍ଧୀୟ ଆଲୋଚନା ବେଳେ କୃଷି ଅଧିକାରିଣୀ ରଞ୍ଜିତା ପାତ୍ର ମନମୁଖୀ କୃଷିକ୍ଷେତ୍ର ପରିଦର୍ଶନ କରି ନିଜ ମନଇଛା ରିପୋର୍ଟ ଦେଉଛନ୍ତି ଯାହା ଫଳରେ କିଛି ବନ୍ୟା କ୍ଷତିଗ୍ରସ୍ତ ପଂଚାୟତର ଚାଷୀ କ୍ଷତି ପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସଦସ୍ୟ ଶାନ୍ତନୁ ମହାପାତ୍ର ଅଭିଯୋଗ କରିଥିଲେ। ବିଭିନ୍ନ କୃଷି ଯୋଜନା ସମୟରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ କାହିଁକି ସାମିଲ କରାଯାଉ ନାହିଁ ବୋଲି ଅଧିକାରିଣୀ ରଞ୍ଜିତା ପାତ୍ରଙ୍କୁ ବିଭିନ୍ନ ସରପଞ୍ଚ ଓ ସଦସ୍ୟ ମାନେ ପଚାରିଥିଲେ । ବୈଠକ ଆରମ୍ଭରେ ନବ ନିର୍ବାଚିତ ସାଂସଦ ଶ୍ରୀ ଷଡଙ୍ଗୀ ଏବଂ ବସ୍ତା ବିଧାୟିକା ଶ୍ରୀମତୀ ଜେନାଙ୍କୁ ବିଡିଓ ପୁନମ ରାଉତ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସହକାରୀ ଯନ୍ତ୍ରୀ ସୌମ୍ୟ ମୁକୁଳ ବାରିକ,ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ବାଲିଆପାଳ ଏବିଡ଼ିଓ ଶରତ ମୁଦୁଲି, ଜିପିଓ ପ୍ରିୟବ୍ରତ ଗିରି, ଜିଲ୍ଲା ପରିଷଦ ସଦସ୍ଯ, ବେଣୁଧର ଜେନା,ବାଲିଆପାଳ ଥାନା ଭାରପ୍ରାପ୍ତ ଅଧିକାରୀ ବ୍ରହ୍ମାନନ୍ଦ ସ୍ବାଇଁ, ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର ଏସ ଡି ଓ ଅବନୀ କୁମାର ରାଉତ, ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ପ୍ରିତମ କୁମାର ସାହୁ, ସ୍ଵାସ୍ଥ୍ୟ ସୁପର ଭାଇଜର ରାମନାଥ କରଙ୍କ ସହିତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ମାନେ ବୈଠକରେ ଉପସ୍ଥିତି ଥିଲେ।

Leave A Reply

Your email address will not be published.