ଭଞ୍ଜନଗର,୨୬/୦୯(ପିପିଟି): ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଭଞ୍ଜନଗର ଉପଖଣ୍ଡରେ କିଭଳି ସଫଳତାର ସହ ଏହାର ମୁକାବିଲା କରାଯାଇ ପାରିବ ସେଥିପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଶନିବାର ପ୍ରେସ ମିଟ ଜରିଆରେ ସୂଚନା ଦେବା ସହ ଲୋକମାନଙ୍କ ଉଦ୍ଦେଶ୍ୟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କତା ଅବଲମ୍ବନ ପାଇଁ ପ୍ରଚାର କରାଯାଇଛି। ରବିବାର ଅପରାହ୍ନ ୫ଟା ସୁଦ୍ଧା ଭଞ୍ଜନଗର ଉପଖଣ୍ଡରେ ଥିବା ଆସ୍କା, ସୋରଡ଼ା, ଧରାକୋଟ,ଶେରଗଡ଼ ବ୍ଲକରେ ଅଧିକ କ୍ଷତି ଆଶଙ୍କା ଥିବାରୁ ବ୍ୟାପକ ସତର୍କତା ଅବଲମ୍ବନ ସହ ଆସ୍କା ଓ ସୋରଡ଼ା ରେ ଏନଡ଼ିଆରଏଫ ଓ ଓଡ୍ରାଫ ଟିମ ମୃତୟନ କରାଯାଇଛି। ସେହିପରି ଉପାଖଣ୍ଡରେ ମୋଟ ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ସମସ୍ତ ୮ଟି ବ୍ଲକ ଓ ସମସ୍ତ ଏନ୍ଏସି ଅନ୍ତର୍ଗତ ୪୭ ପଞ୍ଚାୟତ ଓ ୱାର୍ଡରେ ବିପଦଜ୍ଜନକ ଅବସ୍ଥାରେ ଥିବା ୯୭ଟି ଗ୍ରାମର ୪୧୨ଟି ପରିବାରର ମୋଟ ୧୬୭୮ ଜଣଙ୍କୁ ୭୯ଟି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ସେଥିମଧ୍ୟରୁ ପୁରୁଷ ୬୮୬ଜଣ,ମହିଳା ୬୨୦ଜଣ, ଶିଶୁ ୩୭୨ଜଣ ଓ ୧୦ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।ସେହିପରି ଭଞ୍ଜନଗର ବ୍ଲକ ଓ ଏନ୍ଏସି ର ୭ଟି ପଞ୍ଚାୟତ ଓ ୱାର୍ଡ ସମେତ ୮ଟି ଗ୍ରାମର ମୋଟ ୪୦ଟି ପରିବାରର ୧୪୭ଜଣଙ୍କୁ ୨୩ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରେ ପୁରୁଷ ୫୮ଜଣ,ମହିଳା ୪୭ଜଣ ଓ ଶିଶୁ ୪୨ଜଣ ରହିଛନ୍ତି। ହେଲେ କୌଣସି ଗର୍ଭବତୀ ମହିଳା ନଥିବା ଜଣାପଡିଛି।ସୁରକ୍ଷା ସହ ଆଶ୍ରୟ ସ୍ଥଳୀରେ ଲୋକଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଆସ୍କା ଓ ଶେରଗଡ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଭଳି ଜରୁରୀ କାର୍ଯ୍ୟରେ ସମସ୍ତ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ନିୟୋଜିତ କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )