ଫୁଲବାଣୀ,୨୦/୦୯(ପିପିଟି); ଫୁଲବାଣୀର ବରିଷ୍ଠ ଆଇନଜୀବି ତଥା ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ପି.ପି ସୁରେଶ ମହାପାତ୍ରଙ୍କର ଭୁବନେଶ୍ୱର କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଛି । ସେ ଜଣେ ଦକ୍ଷତା ସମ୍ପର୍ଣ୍ଣ ଓକିଲ , ଅତି ମେଳାପୀ ପ୍ରକୃତିର ଥିଲେ । ସେ ଫୁଲବାଣୀରେ ବିଭିନ୍ନ ସଂଗଠନ ସହିତ ରହି ବିଭିନ୍ନ ସାମାଜିକ କାମ କରି ଆସୁଥିଲେ । ସେ ଭିଜିଲାନ୍ସ କୋର୍ଟରେ ନିଜର ଦକ୍ଷତା ପ୍ରତିପାଦନ କରି ରାଜ୍ୟରେ ଶ୍ରେଷ୍ଠତା ହାସଲ କରି ୨୦୧୫ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ସେହିଭଳି ଫୁଲବାଣୀ ବାରଆସୋସିଏସନର ଜଣେ ଅନ୍ୟତମ ବରିଷ୍ଠ ଓକିଲ ଏମ.ଭି କ୍ରିଷ୍ଣା ରାଓଙ୍କର ମଧ୍ୟ ଗତ ଦୁଇ ଦିନ ପୂର୍ବେ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରରେ ମୃତ୍ୟୁ ଘଟିଥିଲା । ସେ ସିଭିଲ ଓ କ୍ରିମିନାଲ ଓକିଲ ଭାବେ ଫୁଲବାଣୀରେ ଖ୍ୟାତି ଅର୍ଜନ କରିଥିଲେ । ବାର ଆସୋସିଏସନର ଏହି ଦୁଇ ବରିଷ୍ଠ ଓକିଲଙ୍କ ବିୟୋଗ ଫୁଲବାଣୀ ବାର ପାଇଁ ଅପୁରଣୀୟ କ୍ଷତି ଘଟାଇଥିବା ବହୁ ବରିଷ୍ଠ ଓକିଲ ମତ ରଖିଛନ୍ତି । ଫୁଲବାଣୀ କୋର୍ଟ ଦୁଇ ଦୁଇ ଥର କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା ହୋଇସାରିଲାଣି । କୋର୍ଟର ସିରସ୍ତଦାର ସ୍ବର୍ଗତ ଚିତ୍ତରଞ୍ଜନ ପାତ୍ରଙ୍କ କୋଭିଡରେ ମୃତ୍ୟୁ ହେବାପରେ ବର୍ତ୍ତମାନ ଫୁଲବାଣୀ କୋର୍ଟର ବିଚାରପତିଙ୍କ ସମେତ ୨୧ ଜଣ କୋରନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)