ବଦଳୁଛି ସୁକିନ୍ଦା-ଦାନଗଦୀର ସ୍କୁଲ ନକ୍ସା :ଶିଶୁଦିବସରୁ ସ୍କାର୍ଟକ୍ଲାସରେ ହେବ ଶିକ୍ଷାଦାନ ।

0 302

ଯାଜପୁର,୩୧/୦୮(ପିପିଟି) :ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାପ୍ରଦାନ ପାଇଁ ଅଗ୍ରାଧିକାର ଭିତ୍ତିରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୯ଟି ସ୍କୁଲର ଭିତ୍ତିଭୂମି ବିକାଶ କରୁଛନ୍ତି ଓଡ଼ିଶା ସରକାର। ଗୁଣାତ୍ମକ ଶିକ୍ଷାପ୍ରଦାନ ପାଇଁ ମଡେଲ ସ୍କୁଲ ଢ଼ାଞ୍ଚାରେ ଉଭୟ ଦାନଗଦୀ ଏବଂ ସୁକିନ୍ଦା ବ୍ଲକର ୯ଟି ହାଇସ୍କୁଲକୁ ସାମିଲି କରାଯାଇଛି । ଫଳରେ ସେହି ସବୁ ସ୍କୁଲରେ ଆଗକୁ ସ୍ମାର୍ଟ କ୍ଲାସରେ ଶିକ୍ଷାଦାନ କରାଯିବ। ଇ-ଲାଇବ୍ରେରୀ, ଲାବ୍ରଟୋରୀ, ସ୍ପୋର୍ଟସ କ୍ଲାସ, ଟଏଲେଟ୍, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଡାଇନିଂ ହଲ୍, ହାତଧୁଆ ସ୍ଥାନ ସହ ଟେବୁଲ-ବେଞ୍ଚର ବ୍ୟବସ୍ଥା କରାଯାଉଛି। ସେହି ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା ପାଇଁ ଆଜି(ମଙ୍ଗଳବାର) ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଏବଂ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର। ଆସନ୍ତା ଶିଶୁଦିବସ(ନଭେମ୍ବର ୧୪)ରେ ସମସ୍ତ ୯ଟି ସ୍କୁଲର ଭିତ୍ତିଭୂମି ବିକାଶ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶିଶୁଦିବସରେ ସେହି ମଡେଲ ସ୍କୁଲରେ ଶିକ୍ଷାଦାନ କାର୍ଯ୍ୟର ଶୁଭାରମ୍ଭ କରାଯିବ।

ସେହି ବିକଷିତ ଭିତ୍ତିଭୂମି ପ୍ରକ୍ରିୟାରେ ଯୋଡି ହୋଇଛି ଦାନଗଦୀ ବ୍ଲକର ୪ଟି ସ୍କୁଲ ଯଥା ବୁଦ୍ଧରାଜା ବିଦ୍ୟାପୀଠ, ଜଖପୁରା ହାଇସ୍କୁଲ, ପଲିଶ୍ରୀ ହାଇସ୍କୁଲ ବାରାଖାଇ ଏବଂ ଓସସ୍ତପାଳ ହାଇସ୍କୁଲକୁ ମଡେଲ ସ୍କୁଲ ଢ଼ାଞ୍ଚାରେ ରୂପାନ୍ତରିତ କରାଯାଉଛି। ସେହିପରି ସୁକିନ୍ଦା ବ୍ଲକର ୫ଟି ସ୍କୁଲ ଯଥା- ଡୁବୁରୀସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ସୁକିନ୍ଦାଗଡ଼ ଜଗନ୍ନାଥ ହାଇସ୍କୁଲ,ପିଙ୍ଗଳ ହାଇସ୍କୁଲ କୁହିକାର ମହାଗିରି ହାଇସ୍କୁଲ ଏବଂ ହାତୀବାରୀ ହାଇସ୍କୁଲ। ମଙ୍ଗଳବାର ବିଧାୟକ,ଜିଲ୍ଲାପାଳ,ଶିକ୍ଷାଧିକାରୀ ଏବଂ ବ୍ଲକ ଅଧିକାରୀମାନେ ବୁଦ୍ଧରାଜା ବିଦ୍ୟାପୀଠ ଏବଂ ଡୁବୁରୀ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.