ଫୁଲବାଣୀ,୧୫/୦୯(ପିପିଟି); ଫୁଲବାଣୀ ସହରରେ ପ୍ରତ୍ୟେକ ଦିନ ଚୋରି ,ରାହାଜାନୀ ଚାଲିଥିବା ବେଳେ ପୋଲିସ ନିଷ୍କ୍ରିୟତା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି ରଖିଲା ଜିଲ୍ଲା ବି.ଜେ.ପି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ନେତୃତ୍ୱରେ ଜିଲ୍ଲା ବି.ଜେ.ପି ର ଏକ ପ୍ରତିନିଧି ଦଳ ପୋଲିସ ମୁଖ୍ୟାଳୟରେ ଏସ.ପି ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରତ୍ୟେକ ଦିନ ପୋଲିସକୁ ଚାଲେଞ୍ଜ କଲାଭଳି ଚାରି ପାଞ୍ଚ ଜାଗାରେ ଚୋରି ଓ ମରଣା ଅସ୍ତ୍ରରେ ଆକ୍ରମଣ ନେଇ ପୋଲିସରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିରବ ରହିବା ଓ ଥାନା ଅଧିକାରୀଙ୍କ ମୋବାଇଲ କଲ ଗ୍ରହଣ ନ କରିବା ଜରୁରୀ କାଳୀନ ନମ୍ବର ୧୦୦ କାମ କରୁନଥିବା ଅଭିଯୋଗ ଉପସ୍ଥାପନ କରିଥିଲେ । ପୋଲିସ ପେଟ୍ରୋଲିଂ ମଧ୍ୟ ରାତିରେ ହେଉନଥିବା ଅଭିଯୋଗ କରିଛନ୍ତି । ଫଳରେ ପୋଲିସ ପ୍ରତି ସହରବାସୀଙ୍କ ଭରସା ତୁଟିବାରେ ଲାଗିଛି କୌଣସି ପରିସ୍ଥିତିରେ ପଡି ରାତିରେ ଥାନାକୁ ଗଲେ ଥାନା ଗେଟରେ ତାଲା ଝୁଲୁଥିବା ଯୋଗୁଁ ପୋଲିସ ସହାୟତାରୁ ପୀଡ଼ିତ ବଞ୍ଚିତ ହେଉଛି । ଏହାର ସୁଯୋଗ ନେଇ ଦିନକୁ ଦିନ ଚୋରି ରାହାଜାନି ବଢିଚାଲିଛି । ତୁରନ୍ତ ଏହାର ସମାଧାନ ପାଇଁ ଦାବି ରଖିଛି ବି.ଜେ.ପି ପ୍ରତିନିଧି ଦଳ । ଦାବି ପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଏସ.ପି ବିନିତ ଅଗ୍ରୱାଲ ପ୍ରତିଶୃତି ଦେଇଥିବା ସୂଚନା ଦେଇଛନ୍ତି ଏହି ପ୍ରତିନିଧି ଦଳ । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)