ହିଞ୍ଜିଳିକାଟୁ,୨୭/୦୮(ପିପିଟି); ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଢେପ ଅନ୍ତରିଗାଁ ରେ କୌଣସି କାରଣ ବଶତଃ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ଯାଇଥିଲେ । ସେଠାରେ ଘରେ ଥିବା ଯୁବକଙ୍କୁ ଲାଠିରେ ଆକ୍ରମଣ କରିବା ଦ୍ବାରା ଉତେଜନମୁଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ତହସିଲଦାରଙ୍କ ଆକ୍ରମଣରେ ବସନ୍ତ ନାହାକଙ୍କ ଆଖି ପାର୍ଶ୍ବରେ ମାଡ ହୋଇ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ତହସିଲଦାରଙ୍କୁ ଗ୍ରାମବାସୀ ଘେରି ଯୁକ୍ତି ତର୍କ କରିଥିଲେ । ଉତ୍ତେଜନା ପରିସ୍ଥିତି ଦେଖି କୌଶଳ କ୍ରମେ ତହସିଲଦାର ସେଠାରୁ ପଳାଇ ଯାଇଥିଲେ । ଆକ୍ରମଣ ଘଟଣାର ପ୍ରତିବାଦ କରି ଢେପ ଅନ୍ତରିଗାଁ ମହିଳା ଓ ପୁରୁଷ ମାନେ ହିଞ୍ଜିଳିକାଟୁ ଥାନା ଘେରାଉ କରିବା ସହ ତହସିଲଦାରଙ୍କ ନାମରେ ଏତଲା ଦେବାକୁ ଆସିଥିଲେ । ଏହି ଘଟଣା ସଂପର୍କରେ ହିଞ୍ଜିଳିକାଟୁ ଥାନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତହସିଲଦାର କଣ ପାଇଁ ଢେପ ଅନ୍ତରିଗାଁ ଯାଇଥିଲେ ଏବଂ ଯୁବକଙ୍କୁ କାହିଁକି ଆକ୍ରମଣ କଲେ ସେ ସଂପର୍କରେ ସଠିକ୍ ସୂଚନା ପୁଲିସ ଓ ପ୍ରଶାସନ ପକ୍ଷରୁ ଦିଆଯାଇ ନାହିଁ । ଜଣେ ପ୍ରଶାସନିକ ଅଧିକାରୀ ଲାଠି ଧରି ଘରେ ଥିବା ଯୁବକଙ୍କୁ ଆକ୍ରମଣ କରିବା କେତେ ଦୂର ଯୁକ୍ତି ସଙ୍ଗତ ଏବଂ ଆଇନ ସମ୍ମତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ! ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳରେ ବିଭିନ୍ନ ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ସାଧାରଣରେ ଗ୍ରହଣୀୟ ହୋଇପାରୁନାହିଁ । ଜଣେ ଦକ୍ଷ ଓ ଉତ୍ତମ ଥାନା ଅଧିକାରୀଙ୍କ ଆବଶ୍ୟକତା ରହିଛି ବୋଲି ଏବେ ରାସ୍ତା ଘାଟ ଚର୍ଚ୍ଚା ଚାଲିଛି । ଢେପ ଅନ୍ତରିଗାଁ ଘଟଣାର ସତ୍ୟାସତ୍ଯ କଣ ଅନୁସନ୍ଧାନ କରାବା ସହିତ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ବାଲି ଚାଲାଣ ଘଟଣାକୁ ନେଇ ବିବାଦ ଶାନ୍ତ ପଡି ନଥିବା ବେଳେ ପୁଣି ଆଉ ଏକ ବିବାଦ ମୁଣ୍ଡ ଟେକିଛି । ରିପୋର୍ଟ – ଅଜିତ୍ କୁମାର ପଟ୍ଟନାୟକ ।