ପାରିବାରିକ କଳହରୁ ମେଡିସିନ୍ ରିପ୍ରେଜେଣ୍ଟେଟିଭଙ୍କ ଆତ୍ମହତ୍ୟା

0 262

ବେଲଗୁଣ୍ଠା,୦୨/୦୩(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀ ଏବଂ କଣ୍ଟେଇପଲ୍ଲୀ ମଝିରେ ଥିବା ସୋମନାଥପଲ୍ଲୀ ଜଙ୍ଗଲରେ ଆଜି ସକାଳେ ଏକ ଗଛରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ନିକଟରେ ଯୁବକ ଜଣଙ୍କ ମୋଟରସାଇକେଲ୍ ମଧ୍ଯ ଥୁଆ ହୋଇଥିଲା । ଏନେଇ ଗାଙ୍ଗପୁର ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ନିର୍ଦ୍ଦେଶରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ । ଆଖପାଖ ଅଞ୍ଚଳରେ ଜମା ହୋଇଥିବା ଲୋକମାନେ କେହି ଯୁବକ ଜଣଙ୍କ ପରିଚୟ ପାଇପାରିନଥିଲେ । ପରେ ଯୁବକ ଜଣଙ୍କ ଗାଡ଼ି ନମ୍ବରକୁ ଟ୍ରାକ୍ କରି ଯୁବକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଗ୍ରାମର ଦେବରାଜ ଘଡ଼େଇ (୩୫) ବୋଲି ଜଣାପଡ଼ିଥିଲା । ଏନେଇ ଯୁବକ ଜଣଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଦେବରାଜଙ୍କ ବଡ଼ଭାଇ ବୈକୁଣ୍ଠନାଥ ଘଡ଼େଇ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ଏହାପରେ ପୋଲିସ୍ ଦେବରାଜଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇବା ସହ ୦୫/୨୨ ରେ ଏକ ମାମଲା ରୁଜୁ କରି ଗାଙ୍ଗପୁର ଥାନା ଏସ୍ଆଇ ଉମା ଚରଣ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି । ଦେବରାଜ ଏବଂ ତାଙ୍କ ସ୍ତ୍ରୀଙ୍କ ସହିତ ମନୋମାଳିନ୍ଯ ହେବା ଯୋଗୁଁ ସେ କିଛି ଦିନ ହେବ ମାନସିକ ଭାରସାମ୍ୟ ହରାଇ ଅବସାଦରେ ରହୁଥିଲେ । ସେ ଏକ ମେଡିସିନ୍ କମ୍ପାନିରେ କାମ କରି ଆସ୍କାରେ ରହୁଥିଲେ । ସେ ପ୍ରତିଦିନ ବ୍ରହ୍ମପୁର ଏବଂ ଭଞ୍ଜନଗର ମଧ୍ୟରେ ବିଭିନ୍ନ ଡ଼ାକ୍ତରଙ୍କୁ ଭେଟି ନିଜ କମ୍ପାନିର ପ୍ରଚାର କରୁଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.