ସାନଖେମୁଣ୍ଡି,୦୧/୦୭(ପିପିଟି); ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଖପରା ଗଣ୍ଡା ଗାଁର ସନ୍ତୋଷ ମଲିକଙ୍କ ଘରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା କୌଣସି ସୂତ୍ରରୁ ପୋଲିସ ସୂଚନା ପାଇଥିଲା । ଏହା ପରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ସ୍ପେଷାଲ ଟିମ ଗଠନ କରାଯାଇଥିଲା ଓ ଏହାକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଥିଲା । ଗତକାଲି ହଠାତ୍ ପୋଲିସ ଗାଁରେ ପହଞ୍ଚି ସନ୍ତୋଷ ଘରେ ଉପରେ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ବସ୍ତା ବସ୍ତା ଗଞ୍ଜେଇ ଧରିବା ସହ ବସ୍ତା ପେକିଙ୍ଗ କରିବା ମେସିନ ଜବତ କରିଥିଲେ । ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତରେ ବସ୍ତା ସବୁକୁ ଓଜନ କରାଯାଇଥିଲା । ବସ୍ତାରେ ୩୧୫୭ କେଜି ଗଞ୍ଜେଇ ଥିବାର ଜଣାଯାଇଥିଲା । ଏହାକୁ ଜବତ କରିବା ସହ ପାଟପୁର ଥାନା କେଶ୍ ନଂ ୨୧୩/୩୦/୦୬/୨୦୨୧ ପ୍ରକାରେ ମାମଲା ରୁଜୁ କରାଯାଇ ୟୁ /ଏସ ଧାରା ୨୦( ବି ) ୧୧ ( ସି ) / ୧୨୫/୧୨୯ ଏନ୍. ଡି.ପି. ଏସ୍ ଅକ୍ଟ ଲଗାଇ ସନ୍ତୋଷକୁ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦୁଇ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି । ଆସିକା ଏଡ଼ିପିଓ ଉମାକାନ୍ତ ସିଂ ଗଞ୍ଜେଇ ଜବତ ସମ୍ପର୍କରେ ସୂଚନା ଦେବା ସହ ସନ୍ତୋଷ ଘର ଭଡା ବାବଦରେ ପ୍ରାୟ ତିରିଶି ହଜାର ଟଙ୍କା ପାଉଥିବା ମଧ୍ୟ କହିଛନ୍ତି । ତେବେ ଏତେ ପରିମାଣରେ ଗଞ୍ଜେଇ କେଉଁଠୁ ଆସିଲା ଓ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ତାହା ଖୋଳତାଡ଼ ଚାଲିଛି ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ପାଟପୁର ଅଞ୍ଚଳକୁ ନିଶା ମୁକ୍ତ କରିବାର ଏକ ମାତ୍ର ଲକ୍ଷ ବୋଲି କହିଛନ୍ତି ଶ୍ରୀ ମଲ୍ଲ ।
(ରିପୋର୍ଟ- ଆରତ କୁମାର ହୋତା। )