ମାଲକାନଗିରି,ତା:୨୮/୦୬(ପିପିଟି); ଓଡିଶା ପ୍ରଦେଶ କମିଟି କାର୍ଯ୍ଯକାରୀ ସଭାପତି ତଥା ପୂର୍ବତନ ସଂସଦ ପ୍ରଦୀପ ମାଝୀ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, ମାଲକାନଗିରି ତହସିଲ ଅଧିନରେ ଥିବା ପାଞ୍ଚଗୋଟି ପଥର ଖଣିର ନିଲାମ ଟେଣ୍ଡର ସମୟ ଅବଧି ସମାପ୍ତ ହୋଇ ନଥିବାରୁ ଏଗୁଡିକୁ ତୁରନ୍ତ କାର୍ଯ୍ଯକ୍ଷମ କରାଯାଉ । ନତୁବା ଆଗାମୀ ଦିନରେ କଂଗ୍ରେସ ଦଳ ଆନ୍ଦୋଳନକୁ ତୀବ୍ରତର କରିବା ସେ ଚେତାବନୀ ଦେଇଛନ୍ତି । ବିବରଣୀରୁ ପ୍ରକାଶ ଯେ, ମାଲକାନଗିରି ଜିଲ୍ଲାରେ ଦେଖା ଦେଇଥିବା ଲଘୁ ଖଣିଜ ପଦାର୍ଥ (ଚିପସି୍,ମେଟାଲ୍ ଏବଂ ପଥର ଗୁଣ୍ଡ) ର କୃତ୍ରିମ ଅଭାବ ପାଇଁ ପୂର୍ବତନ ଜିଲ୍ଲାପାଳ ୟେଦୁଲା ବିଜୟ ଏବଂ ମାଲକାନଗିରି ତହସିଲଦାର ଡ. ଗୁଣନିଧି ନାୟକ ସଂପୂର୍ଣ୍ଣ ଭାବେ ଦାୟି ।ମାଲକାନଗିରି ତହସିଲ ଅଧିନରେ ଥିବା ପାଞ୍ଚଟି ପଥର ଖଣି ଯଥା:-ଦରିଗୁଡା ପଥର ଖଣି-(୧),ଦରିଗୁଡା ପଥର ଖଣି-(୨)କୋରୁକୋଣ୍ଡା ପଥର ଖଣି, ମାରିୱାଡା ପଥର ଖଣି ଏବଂ ଗନ୍ଦିପାଲ୍ଲୀ ପଥର ଖଣି ଇତ୍ଯାଦିର ସମୟ ଅବଧି ସମାପ୍ତ ହୋଇ ନଥିବା ବେଳେ, ମାଲକାନଗିରି ତହସିଲଦାର ଶ୍ରୀ ନାୟକ କିପରି ଭାବରେ ଏବଂ କାହା ସ୍ବାର୍ଥରେ ଏହି ପଥର ଖଣିଗୁଡିକର ନିଲାମ ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ଆହୁତ ଟେଣ୍ଡର ବିଜ୍ଞପ୍ତିରେ ଦସ୍ତଖତ କରିଥିଲେ ? ଗତ ମାର୍ଚ୍ଚମାସରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ତତ୍କାଳୀନ ଜିଲ୍ଲାପାଳ ଡକ୍ଟର ବିଜୟ ଛନ୍ଦି ହୋଇଥିବା ବେଳେ ବର୍ତ୍ତମାନ ତହସିଲଦାର ନାୟକଙ୍କ ଭୂମିକା ମଧ୍ଯ ସନ୍ଧେହ ଘେରରେ । ଗତ କିଛି ଦିନ ଧରି ଲଘୁ ଖଣିଜ ପଦାର୍ଥର ଅଭାବ ପାଇଁ ଓଡିଶା ସରକାରଙ୍କର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ଯ ସଂପୂର୍ଣ୍ଣ ବନ୍ଦ ରହିବାରେ ଉଭୟ ପୂର୍ବତନ ଜିଲ୍ଲାପାଳ ଡ. ବିଜୟ ଏବଂ ତହସିଲଦାର ଡ. ନାୟକ ସଂପୂର୍ଣ୍ଣ ରୂପେ ଦାୟି । ଏଣୁ ଭାରତୀୟ ଜାତୀୟ କଂଗ୍ରେସ ରାଜ୍ଯ ସରକାରଙ୍କ ନିକଟରେ ଦାବି ଜଣାଉଛି ଯେ, ସମୟ ଅବଧି ଶେଷ ହୋଇ ନଥିବା ପଥର ଖଣିଗୁଡିକର ଟେଣ୍ଡର ବିଜ୍ଞପ୍ତି କପରି ପ୍ରକାଶ ପାଇଲା ଏବଂ ତତ୍କାଳୀନ ଜିଲ୍ଲାପାଳ ଡ. ବିଜୟ ଏବଂ ତହସିଲଦାର ଡ. ନାୟକ କାହିଁକି ଏବଂ କାହା ସ୍ବାର୍ଥରେ ଉପରୋକ୍ତ ପଥର ଖଣିଗୁଡିକର ଆଗୁଆ ଟେଣ୍ଡର ଆହ୍ବାନ କଲେ ? ଏହା ତଦନ୍ତ ସାପେକ୍ଷ । ଏହି ଟେଣ୍ଡର ପ୍ରକ୍ରିୟାରେ ସଂପୃକ୍ତ ଥିବା ଅନ୍ଯ ଅଫିସରମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସମୟ ଅବଧି ସମାପ୍ତ ନହୋଇ ବନ୍ଦ ରହିଥିବା ପଥରଖଣିଗୁଡିକ ତୁରନ୍ତ କାର୍ଯ୍ଯକ୍ଷମ କରାଯାଉ । ନଚେତ ଆଗାମୀ ଦିନରେ ହେବାକୁଥିବା ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପ୍ରଦୀପ ମାଝୀ ଚତାବନୀ ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post