କଳାହାଣ୍ଡି,୦୨/୦୧(ପିପିଟି): ଚାଷୀମାନେ ସରକାରଙ୍କ ଠାରେ ସହଜରେ ଉପାର୍ଜିତ ଧାନ ମଣ୍ଡି ଜରିଆରେ ବିକ୍ରୟ କରିପାରିବେ ସେଦିଗରେ ବିଶେଷ ଧ୍ୟାନ ଦେଇ ଧାନମଣ୍ଡି କରି ଧାନ କିଣୁଛନ୍ତି ।ଏହି ମଣ୍ଡି ମାନଙ୍କ ପାଇଁ ଆଲୋକ ବ୍ୟବସ୍ଥା ,ପାନୀୟଜଳ ସହ ଜରିପାଲ ବ୍ୟବସ୍ଥା ପୂର୍ବକ କିପରି ଚାଷୀ ଶୀଘ୍ର ବିନା ହଇରାଣରେ ଧାନ ବିକ୍ରୟ କରିବେ ସେଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ବାସ୍ତବରେ ଏହାର ଚିତ୍ର ଓଲଟା । ଚାଷୀ ଅନେକ ଦିନ ହେଲା ଧାନ ବିକ୍ରୟ କରିନପାରି ହଇରାଣ ହୋଇ ବିନା ଆଲୁଅରେ, ରାତିରେ ଜଗି ରହୁଛନ୍ତି । ଫଳରେ ଅନେକ ଜାଗାରେ ଚାଷୀମାନେ ବାଧ୍ୟହୋଇ ଧାରଣାରତ ରହୁଛନ୍ତି ।ଏଭଳି ଏକ ଦୃଶ୍ୟ ଶନିବାର ଦିନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ସେବା ସମବାୟ ସମିତି ଠାରେ । ସୂଚନା ଅନୁସାରେ ଆଜକୁ ୨୦ଦିନ ହେବ ଚାଷୀମାନେ ଧାନବିକ୍ରୟ ପାଇଁ ଧାନ ପକାଇଛନ୍ତି ।୨୦ଦିନ ହେଲା ଉକ୍ତ ମଣ୍ଡିକୁ ଗାଡି ଆସୁନଥିବାରୁ ବାଧ୍ୟହୋଇ ଚାଷୀମାନେ ହଇରାଣ ହୋଇ ରାତିରେ ଧାନ ଜଗିରହୁଛନ୍ତି । ମଣ୍ଡିରେ ପାନୀୟ ଜଳ ,ଆଲୋକ ବ୍ୟବସ୍ଥା ସହ ଧାନ ଉଠିବା ପାଇଁ ବ୍ୟବସ୍ଥା ହୋଇନଥିବାରୁ ଏବାବଦରେ ଅନେକ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସୀ ସୁଫଳ ନହେବାରୁ ବାଧ୍ୟହୋଇ ପଲମ ଗ୍ରାମ ପଞ୍ଚାୟତର ସରପଞ୍ଚ ହେମକିଶୋର ନାଗଙ୍କ ତତ୍ଵାବଧାନରେ ଶତାଧିକ ଚାଷୀ ଉକ୍ତ ଦାବି ନେଇ ଶନିବାର ଦିନ ଧାରଣା ଦେଇଥିଲେ । ମଣ୍ଡିରେ ସମସ୍ତ ପ୍ରକାର ସୁବିଧା କରିବା ସହ ଦୈନିକ ୬ଟି ଟ୍ରକରେ ଧାନ ଉଠାଇବା ଦାବି କରିଥିଲେ ।ପରେ ଏ ସଂକ୍ରାନ୍ତରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଫୋନଯୋଗେ ଯୋଗାଯୋଗ କରିବାରୁ ଶ୍ରୀ ସିଂଦେଓ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ୪ଟି ଗାଡି ମଣ୍ଡିକୁ ପଠାଇବା ସହ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ପାଇଁ ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଧାରଣାରୁ ଉଠିଥିଲେ । ପରେ ମଣ୍ଡିରେ ଧାନକିଣା ସ୍ଵାଭାବିକ୍ ହୋଇଥିଲା ।
(ରିପୋର୍ଟ-ଭୀଷ୍ମ ସାହୁ ।)