ନୌକା ଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ।

0 10

ମାଲକାନଗିରି,୦୪/୦୧(ପିପିଟି): ସତୀଗୁଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ପରିସରରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ଚାଳନା ପ୍ରତିଯୋଗିତା ଦାୟିତ୍ୱରେ ଥିବା କମିଟିର ଏକ ବୈଠକ ଉପନିର୍ଦ୍ଦେଶକ,ମତ୍ସ୍ୟ ବିଭାଗ, ନରସିଂହ ମୁଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ କମିଟିର ସଦସ୍ୟ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇ, ବନପାଳ ରମେଶ ଚନ୍ଦ୍ର ରାଉତ, ଦେବାଶୀଷ ପ୍ରଧାନ, ମତ୍ସ୍ୟଜୀବୀ ସମବାୟ ସମିତି ସଭାପତି କ୍ରିଷ୍ଣ ବିଶ୍ୱାସ, ସମ୍ପାଦକ ସମୀର କବାସୀଙ୍କ ସହ ବନ ବିଭାଗ ଓ ସମବାୟ ସମିତିର ସଦସ୍ୟମାନେ ଉପସ୍ଥିତ ରହି ଆସନ୍ତା ୧୩ ତାରିଖ ଦିନ ନୌକା ଚାଳନା ପ୍ରତିଯୋଗିତା ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜଳ ଭଣ୍ଡାର ମଧ୍ୟରେ ଥିବା ମତ୍ସ୍ୟ ବିଭାଗର ପଞ୍ଜୁରୀ ଠାରୁ ଡଙ୍ଗା ଘାଟ ୩୦୦ ମିଟର ମଧ୍ୟରେ ଏହି ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୧୦ ଟି ଦଳ ଭାଗ ନେବେ ପ୍ରତି ଦଳରେ ଚାରିଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜଳଭଠାରରେ ୩୦୦ ମିଟର ସୀମା ଚିହ୍ନଟ ପାଇଁ ବନ ବିଭାଗ ଦ୍ୱାରା ଚିହ୍ନଟକାରୀଙ୍କୁ ରଶି, ବେଲୁନ୍‍, ସୋଲ, ଯୋଗାଇଦେବେ । ମତ୍ସ୍ୟ ବିଭାଗ ୪୦ ଜଣ ପ୍ରତିଯୋଗୀ ମାନଙ୍କ ସହ ପଦାଧିକାରୀ ଓ ଅତିଥିମାନଙ୍କ ନିମନ୍ତେ ପାନୀୟ ଜଳ ଓ ଜଳଖିଆର ବ୍ୟବସ୍ଥା କରିବେ । ବନ ବିଭାଗର ଦୁଇଟି ମୋଟର ବୋଟ ଏବଂ ଅଗ୍ନିଶମ ବିଭାଗର ଗୋଟିଏ ମୋଟର ବୋଟ ଏହି କାର୍ଯ୍ୟରେ ନିୟୋଜିତ ରହିବ । ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଚୟନ ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ଚାରଟି ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦାୟିତ୍ୱରେ ରହିବେ । ବନ ବିଭାଗ ୧୦ଟି, ମତ୍ସ୍ୟ ବିଭାଗ ୨୦ଟି ଓ ଅଗ୍ନିଶମ ବିଭାଗ ୧୦ଟି ଲାଇପ୍‍ ଜାକେଟ୍‍ ଯୋଗାଇଦେବେ । ମାଲ୍ୟବନ୍ତ ମହୋତ୍ସବ ପରିଚାଳନା କମିଟି ତରଫରୁ ପ୍ରତି ପ୍ରତିଯୋଗୀଙ୍କୁ ମାଲ୍ୟବନ୍ତ ଲୋଗୋ ଥିବା ଗଞ୍ଜି ଏବଂ ଟୋପି ଯୋଗାଇଦେବା ପାଇଁ ବୈଠକରେ ଅନୁରୋଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବିଭାଗ ତରଫରୁ ଜରୁରୀ ଚିକିତ୍ସା ପାଇଁ ଡାକ୍ତର ଏବଂ ଆମ୍ୱୁଲାନ୍‍ସ୍‍ ଦଳ ଉପସ୍ଥିତ ରହିବେ । ଏ ସମ୍ୱନ୍ଧରେ ମହୋତ୍ସବ କମିଟି ତରଫରୁ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗକୁ ୧୩ ତାରିଖ ପୂର୍ବରୁ ସୂଚନା ପ୍ରଦାନ କରିବେ । ଦିନକ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ୱାରା ମାଲକାନଗିରି ସହର ସହ ସତୀଗୁଡା ଜଳଭଣ୍ଡାର ଚତୁଃପାର୍ଶ୍ୱ ଗ୍ରାମ ଗୁଡିକରେ ନୌକା ଚାଳନା ପ୍ରତିଯୋଗିତା ସମ୍ୱନ୍ଧରେ ସୂଚନା ପ୍ରଦାନ କରାଯିବ । ୧୩ ତାରିଖ ଦିନ ଦିବା ୨ ଘଟିକା ସମୟରେ ପ୍ରତିଯୋଗିତା ଆରମ୍ଭ ହେବ । ଏହା ପୂର୍ବରୁ ମତ୍ସ୍ୟ ବିଭାଗ ସମସ୍ତ ପ୍ରତିଯୋଗୀ ଦଳମାନଙ୍କୁ ମଧ୍ୟାହ୍ନ ୧ ଘଟିକା ମଧ୍ୟରେ ପ୍ରତିଯୋଗିତା ପ୍ରାରମ୍ଭ ସ୍ଥଳରେ ଉପସ୍ଥିତ ରହିବେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦଳମାନେ ମତ୍ସ୍ୟ ବିଭାଗ ନିକଟରେ ଦଳର ନାମ ଓ ପ୍ରତିଯୋଗିତାଙ୍କ ନାମ ପଞ୍ଜିକରଣ କରିବେ । ପ୍ରତିଥର ପରି ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୫ ହଜାର, ଦ୍ୱିତୀୟ ସ୍ଥାନ ୩ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୨ ହଜାର ଟଙ୍କା ମାଲ୍ୟବନ୍ତ ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ । ମାଲ୍ୟବନ୍ତ ମହୋତ୍ସବ ପରିଚାଳନା କମିଟି ମୁଖ୍ୟ ଆଜିର ବୈଠକର ସବିଶେଷ ତଥ୍ୟକୁ ଗୁରୁତ୍ୱ ଦେଇ କାର୍ଯ୍ୟପନ୍ଥାକୁ ନିର୍ଦ୍ଧାରିତ କରିବା ପାଇଁ ଅନୁରୋଧ କରାଗଲା ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.