ଶେରଗଡ,୦୯/୦୯(ପିପିଟି): ଶେରଗଡ଼ ନିର୍ମାଣ ଶ୍ରମିକ କାର୍ଡ ନିମନ୍ତେ ଆବେଦନ ଫର୍ମ ସହ ପଚାଶ ଟଙ୍କା ହାତ ଗୁଞ୍ଜା । ପଚାଶ ଟଙ୍କା ନଦେଲେ ଫର୍ମ ଧରୁନାହାନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ଏମିତି ଅଭିଯୋଗ ଆସିଛି ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରୁ । ସରକାରୀ ନିୟମ ଅନୁସାରେ ଯେଉଁ ଜବ କାର୍ଡଧାରୀ ଶହେ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି ତାଙ୍କୁ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ କାର୍ଡ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ । ଏଥିପାଇଁ ସମସ୍ତ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଜବ କାର୍ଡଧାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସହ ନୂତନ ନିର୍ମାଣ ଶ୍ରମିକ କାର୍ଡ ପାଇଁ ଆବେଦନ କରିବାକୁ । କିନ୍ତୁ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ ଦାସ ଓ ଗ୍ରାମ ରୋଜଗାର ସେବକ ପ୍ରତାପ ନାହାକ ଆବେଦନ ଫର୍ମ ସହ ଜଣ ଜଣଙ୍କ ଠାରୁ ପଚାଶ ଟଙ୍କା ଲେଖାଁଏ ଆଦାୟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଶ୍ରୀ ଦାସଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଇନଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ କୋଡିଏ ଟଙ୍କା ଲେଖାଁଏ ଆଦାୟ କରାଯାଇଛି ବୋଲି ଗ୍ରାମ ରୋଜଗାର ସେବକ କହିଥିଲେ। ତେବେ ବିଡ଼ିଓ ଏ କଥାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ଏବଂ ଯଦି ବିନା ରସିଦରେ ଟଙ୍କା ଆଦାୟ ହୋଇଥିବ ତା’ହେଲେ ସେମାନେ ଲୋକଙ୍କୁ ଟଙ୍କା ଫେରସ୍ତ କରିବେ ବୋଲି ବିଡ଼ିଓ ଶମ୍ଭୁ ନାଥ ନନ୍ଦୀ କହିଛନ୍ତି ।
(ରିପୋର୍ଟ- ଭିକୁ ନାୟକ। )