ବେଲଗୁଣ୍ଠା,୦୮/୦୨(ପିପିଟି):ଆଜି ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଦିଲ୍ଲୀପ୍ ପ୍ରଧାନ (୪୬)ଙ୍କ ଶବ ବେଲଗୁଣ୍ଠାରୁ ସୁତୁମୁସର ରାସ୍ତାରେ ଥିବା ଏକ ନାଳରୁ ଉଦ୍ଧାର ହେବା ପରେ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶୋକର ଛାୟା ଖେଳିଯାଇଛି । ସୂଚନା ପ୍ରକାରେ ଆଜି କିଛି ସ୍ଥାନୀୟ ଲୋକେ ବେଲଗୁଣ୍ଠାରୁ ସୁତୁମୁସର ରାସ୍ତାରେ ଦୁଇରୁ ତିନି ଫୁଟ ପାଣି ଥିବା ଥିବା ଏକ ନାଳରେ ଜଣେ ବ୍ୟକ୍ତିଙ୍କର ଶବ ପଡ଼ିଥିବା ଦେଖି ବେଲଗୁଣ୍ଠା ଥାନାକୁ ଖବର ଦେଇଥିଲେ । ବେଲଗୁଣ୍ଠା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଏବଂ ନିକଟରେ ପଡ଼ିଥିବା ପର୍ସକୁ ଜବତ କରି ଶବଟି ଅଧ୍ୟାପକ ଦିଲ୍ଲୀପ୍ ପ୍ରଧାନଙ୍କର ବୋଲି ଚିହ୍ନଟ କରିଥିଲା । ଏହାପରେ କେଶ୍ ନମ୍ବର୍ ୦୪/୨୨ ରେ ଏକ ମାମଲା ରୁଜୁ କରି ଶବ୍ଦକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି । ଅଧ୍ୟାପକ ଦିଲ୍ଲୀପଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଗତ କାଲି ରାତି ୧୦ ଟାରୁ ୧୧ ଟା ମଧ୍ୟରେ ଅସାବଧାନତା ବଶତଃ ସେ ନାଳରେ ପଡ଼ିଯାଇଥିବା ଏବଂ ଅନ୍ଧାର ରାତି ହେତୁ କାହା ଠାରୁ କୌଣସି ସାହାଯ୍ୟ ନପାଇ ପାଣିରୁ ଉଠିନପାରି ମୃତ୍ୟୁ ବରଣ କରିଥିବା ପୁଲିସ ଅନୁମାନ କରୁଛି । ତେବେ ସ୍ଵର୍ଗତ ପ୍ରଧାନଙ୍କର ନିଜ ଘର ଜଗନ୍ନାଥପ୍ରସାଦ ବ୍ଳକ୍ ଥୋଲଣ୍ଡା ଗ୍ରାମରେ ହୋଇଥିବା ବେଳେ ସେ ରାତିରେ କେଉଁ ପରିସ୍ଥିତିରେ ନାଳ ନିକଟକୁ ଆସିଲେ ସେ ସମ୍ପର୍କରେ ପୁଲିସ ଖୋଳତାଡ଼ କରୁଛି ।ଏନେଇ ବେଲଗୁଣ୍ଠା ଥାନା ଏସ୍ଆଇ ବିଶ୍ଵନାଥ ମଲ୍ଲିକ ତଦନ୍ତ କରୁ୍ଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )