ନବମ-ଦଶମ ଶ୍ରେୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି-ପୋଷାକ ପ୍ରଦାନ ପାଇଁ ଡିଏମଏଫ ବୋର୍ଡ ଅଧ୍ୟକ୍ଷଙ୍କୁ ସୁକିନ୍ଦା ବିଧାୟକଙ୍କ ପ୍ରସ୍ତାବ ।
ଯାଜପୁର,୦୯/୦୯(ପିପିଟି); କରୋନାର କଟକଣା ଧିରେ ଧିରେ କୋହଳ ହେଉଛି। ସେପ୍ଟମ୍ବର ଶେଷ ସପ୍ତାହ ବା ଦୁର୍ଗା ପୂଜା ପରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବାର ସୂଚନା ମିଳୁଛି। ଏହି ସମୟରେ ସରକାରୀ ସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଏବଂ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଦାବି କରିଛନ୍ତି। ଏତଦ୍ ବ୍ୟତୀତ ସ୍କୁଲ ଆଡମିଶନ୍ ଓ ପରୀକ୍ଷା ଫି ଛାଡ କରିବା ଲାଗି ଯାଜପୁର ଜିଲ୍ଲାପାଳ ତଥା ଡିଏମଏଫ ବୋର୍ଡ ଅଧ୍ୟକ୍ଷ ରଞ୍ଜନ ଦାସଙ୍କୁ ପତ୍ର ଲେଖିଛନ୍ତି ସୁକିନ୍ଦା ବିଧାୟକ। କରୋନା ଯୋଗୁ ସୁକିନ୍ଦା ଓ ଦାନଗଦି ବ୍ଲକବାସୀଙ୍କ ରୋଜଗାର ପ୍ରଭାବିତ ହୋଇଥିବାରୁ ଡିଏମଏଫ(ଜିଲ୍ଲା ଖଣିଜ ନ୍ୟାସ) ପାଣ୍ଠି ବିନିଯୋଗ କରାଯାଇ ଛାତ୍ରଛାତ୍ରୀଙ୍କ ଆର୍ଥିକ ବୋଝକୁ ଦୂର କରାଯାଉ। ସେହିଭଳି ମଧ୍ୟାହ୍ନ ଭୋଜନରେ ଅର୍ନ୍ତଭୁକ୍ତ ହେଉନଥିବା ନବମ-ଦଶମ ଛାତ୍ରଛାତ୍ରୀଙ୍କ ଲାଗି ଡିଏମଏଫ ପାଣ୍ଠି ବିନିଯୋଗ କରି ମିଡ୍ ଡେ ମିଲ୍ ପ୍ରଦାନ କରିବା ଲାଗି ସୁକିନ୍ଦା ବିଧାୟକ ଦାବି କରିଛନ୍ତି । ଯଦିଓ ସରକାରଙ୍କ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି,ପୋଷକା ଏବଂ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ହେଲେ ସେହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ତେଣୁ କରୋନା ସମୟରେ ସୁକିନ୍ଦା ଓ ଦାନଗଦି ବ୍ଲକର ସମସ୍ତ ହାଇସ୍କୁଲରେ ଡିଏମଏଫ ପାଣ୍ଠିକୁ ବିନିଯୋଗ କରାଯିବା ଲାଗି ଦାବି ହେଉଥିଲା। ବିଧାୟକଙ୍କ ପତ୍ରରୁ ଆଶା କରାଯାଉଛି ଯେ ଖଣି ପ୍ରଭାବିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଆର୍ଥିକ ଅନଗ୍ରସରଙ୍କୁ ଡିଏମଏଫ୍ ପାଣ୍ଠିର ସୁଫଳ ମିଳିବ। ଆଉ ପିଲାମାନଙ୍କ ପଢ଼ାଖର୍ଚ୍ଚରୁ ସେମାନେ ମୁକ୍ତ ହେବେ।