ରାୟଗଡା,୧୭/୦୯(ପିପିଟି); ଦୂଷିତ ନଳକୂପ ପାଣି ବ୍ୟବହାର କରି ୧୫ ରୁ ଉର୍ଦ୍ଧ୍ବ କିଡିନୀ ରୋଗରେ ଆକ୍ରାନ୍ତ,୨ ବର୍ଷ ମଧ୍ୟରେ ପ୍ରାଣ ତ୍ୟାଗ କଲେ ୪ ଜଣ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବେଥିଆପଡା ଗ୍ରାମପଞ୍ଚାୟତ ଅଧୀନ ସିକାମପଦର ଗ୍ରାମରେ ଦୂଷିତ ନଳକୂପ ପାଣି ପିଇ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି କିଡିନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହି କିଡିନୀ ରୋଗରେ ୨୦ ଦିନ ତଳେ ଜଣେ ଓ ୨ ମାସ ମଧ୍ୟରେ ୨ ଜଣ ଏବଂ ପୂର୍ବରୁ ଜଣେ ଏଭଳି ମୋଟ ୪ ଜଣ ପ୍ରାଣ ହରାଇସାରିଲେଣି। ୨ ମାସରେ ମୃତ ବ୍ୟକ୍ତି ହେଲେ କିଶୋର ବାତ୍ରିଆ (୩୩),ନାରିନ୍ଦୁ ମାଣ୍ଡାଙ୍ଗି (୩୫)ଓ ସିନାୟା ମେଲେକା(୩୬),ତଥାପି ସରକାରଙ୍କ ନିଦ୍ରା ଭାଙ୍ଗୁନାହିଁ।ଏହି ସମସ୍ୟାକୁ ନେଇ ଦୀର୍ଘ ୧୦ ବର୍ଷ ହେଲା ଗ୍ରାମବାସୀ ବିଡ଼ିଓ,ଜିଲ୍ଲାପାଳ, ଜନସ୍ୱାସ୍ଥ୍ୟ ବିଭାଗ ଓ ଜଳ ଯୋଗାଣ ଓ ପରିମଳ ବିଭାଗକୁ ମୌଖିକ ଓ ଲିଖିତ ଭାବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗ୍ରାମବାସୀଙ୍କ କହିବା ଅନୁସାରେ କିଡିନୀ ରୋଗର ମୂଖ୍ୟ କାରଣ ହେଲା ନଳ କୂଅ ପାଣି।ଅଭିଯୋଗ କରାଗଲେ ଗୋଟାଏ ନୂତନ ନଳକୂଅ ଖୋଳୁଛନ୍ତି ସରକାର। ଏହିପରି ଏହି ଗ୍ରାମରେ ମୋଟ ୭ ଗୋଟି ନଳକୂଅ ରହିଥିଲାବେଳେ ଗୋଟିଏ ଖରାପ ଅଛି,ଅନ୍ୟ ୬ ଗୋଟି ନଳକୁଅରୁ ପୁର୍ଭଭଳି ହଳଦିଆ ପାଣି, ଲୁହାଗୁଣ୍ଡ ଓ ଜିଆଭଳି ଦେଖାଯାଉଥିବା ଛୋଟ ପୋକ ବାହାରୁଛି। ବିକଳ୍ପ ବ୍ୟବସ୍ଥା ନଥିବାରୁ ଏହି ଦୂଷିତ ପାଣି ବ୍ୟବହାର କରି କିଡିନୀ ବ୍ୟତୀତ ହୃଦରୋଗ,ରକ୍ତହୀନତା, ଗ୍ୟାସ ଓ କର୍କଟ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ପୁଣି ଏହି ଗ୍ରାମରେ ଏକ ପ୍ରକଳ୍ପ ମାଧ୍ୟମରେ ପମ୍ପ ସାହାଯ୍ୟରେ ପାଣି ଯୋଗାଇଦିଆଯାଉଥିଲେ ମଧ୍ୟ ତାହା ୨ ମାସ ହେଲା କାର୍ଯ୍ୟକ୍ଷମ ହେଉନାହିଁ। ଯଦିବା ପାଣି ଆସୁଛି ୨ ଦିନ ଆସିଲେ ୮ ଦିନ ଅସୁନାହିଁ।ଯଦି ପାଣିଆସେ ତେବେ ସବୁ ଷ୍ଟାଣ୍ଡ ପୋଷ୍ଟକୁ ପାଣି ଯାଉନାହିଁ। କେତେକ ଷ୍ଟାଣ୍ଡ ପୋଷ୍ଟରେ ଟେପ୍ ନଥିବାରୁ ଅନ୍ୟଥା ପାଣି ନଷ୍ଟ ହେଉଛି।ଗ୍ରାମର ପ୍ରସାଦ ବାତ୍ରୀ,ପ୍ରମୋଦ ମାଣ୍ଡିକା, ମାଧବ ବାତ୍ରିଆ, ମହେନ୍ଦ୍ର ବାତ୍ରିଆ, ଲୋହିତ ବାତ୍ରିଆ, ଦମୟନ୍ତି କନ୍ଧପାଣି, କୁମୁଦ ବାତ୍ରିଆ, ଅଭିମନ୍ୟୁ କନ୍ଧପାଣି,ମାଲ୍ୟାଣୀ ବାତ୍ରିଆ, ବୁଚାମା ବାତ୍ରିଆ ଓ କାଞ୍ଚନ ବାତ୍ରିଆ ଦୀର୍ଘ ୫ ବର୍ଷ ହେଲା କିଡନୀ ରାଗରେ ଆକ୍ରାନ୍ତ।ସେମାନଙ୍କୁ ସରକାରୀ ଡାକ୍ତରଖାନାରେ ଔଷଧ ନମିଳିବାରୁ ବାହାରେ ମାସିକ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଔଷଧ କିଣୁଛନ୍ତି। ଗରିବ ଶ୍ରେଣୀର ଲୋକ,ଏତେ ଟଙ୍କା କୁଆଡୁ ଆଣି ଔଷଧ କିଣିବୁ,କେବଳ ମରଣକୁ ଅପେକ୍ଷା କରିଛୁ ବୋଲି କୋହଭରା କଣ୍ଠରେ ଗ୍ରାମବାସୀ କହିଛନ୍ତି। ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ କହିଥିଲେ ଯେ,ଏହି ସବୁ ରୋଗ ପାଇଁ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ଉପଲବ୍ଧ, ମାତ୍ର ଲୋକେ ବ୍ରହ୍ମପୁର ବିଶାଖାପାଟଣା ଯାଇ ଚିକିତ୍ସିତ ହୋଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ସରପଞ୍ଚ ବାରିକ କାଡ୍ରାକା କହିଛନ୍ତିଯେ ,ପଂଚାୟତ ପାଣ୍ଠିରେ ଅପର୍ଯ୍ୟାପ୍ତ ଟଙ୍କା ନାହିଁ ତେଣୁ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାଣିଦେବା କଷ୍ଟକର। ଏଣୁ ଜିଲ୍ଲାପାଳ ଏଦିଗରେ ବିଶେଷ ଦୃଷ୍ଟି ଦେଇ ପାଖ ଗ୍ରାମ ବେଥିଆପଡାରୁ ପାଇପ ଯୋଗେ ପାଣି ଯୋଗାଇ ଦେଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ। (ରିପୋର୍ଟ – ନବୀନ ନାୟକ ବେହେରା ।)