ତିନି କ୍ବାକ୍ ଗିରଫ,ଶିକ୍ଷାଗତ ଯୋଗ୍ଯତା ନଥାଇ ଏଲୋପ୍ଯାଥିକ ଚିକିତ୍ସା ।

0 295

ମାଲକାନଗିରି,କା:୨୬/୦୬(ପିପିଟି);ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ଯ ସେବା ବିର୍ଯ୍ଯୟ । ଦୁର୍ଗମ ଅଞ୍ଚଳରେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ।ଏହାର ସୁଯୋଗ ନେଇ କିଛି ବଙ୍ଗୀୟ ସଂପ୍ରଦାୟର ଲୋକମାନେ ଏଲୋପ୍ଯାଥିକ ସଂପର୍କରେ କୌଣସି ଶିକ୍ଷାଗତ ଯୋଗ୍ଯତା ନଥାଇ କରନ୍ତି ଡାକ୍ତରୀ ସେବା । ଅଧିକାଂଶ ଅଣ୍ଡ୍ରମ୍ଯାଟ୍ରିକ ଯୁବକମାନେ ଏହି ଡାକ୍ତରୀ ସେବା ଉଭୟ ଆଦିବାସୀ ଓ ବଙ୍ଗୀୟ ଗ୍ରାମାଞ୍ଚଳରେ କରିଥାନ୍ତି । ରାତି ଅଧିଆ ଡାକରା ପଡିଲେ ଔଷଧ ଇଞ୍ଜେକ୍ସନ ଏବଂ ସାଲାଇନ ରୋଗୀଙ୍କୁ ଦେଇଥାନ୍ତି । ତେଣୁ ଗାଁ ଗହଳରେ ଏହି କ୍ବାକମାନଙ୍କର ପ୍ରସିଦ୍ଧି ରହିଛି । ଏମାନେ ଏମବିବିଏସ ଡାକ୍ତରଙ୍କ ଠାରୁ ବେଶୀ ଔଷଧ ସମ୍ବନ୍ଧରେ ଜ୍ଞାନ ରହିଛି ବୋଲି ଗାଁ ଲୋକମାନଙ୍କୁ ବଡ ବଡ କଥା କହନ୍ତି । ତାଙ୍କ ଔଷଧରେ ବଡ ବଡ ରୋଗୀଙ୍କୁ ଭଲ କରିଥିବା ଦର୍ଶାଇ ଜତାକୁ ଭକୁଆ ବନାନ୍ତି ।ଗ୍ରାମାଞ୍ଚଳ ଲୋକମାନଙ୍କ ଚାରା ନାହୁଁ,କରିବେ କ’ଣ ?ସେମାନେ କ୍ବାକ୍ ଉପରେ ବର୍ଷ ବର୍ଷ ନିର୍ଭର କରି ବିଶ୍ବାସରେ ଏଲୋପ୍ଯାଥିକ ଚିକିତ୍ସାରେ ରାଜି ହୋଇ ନିଜର ଅମୂଲ୍ଯ ସ୍ବାସ୍ଥ୍ଯକୁ ଅଶିକ୍ଷିତ କ୍ବାକ ହସ୍ତରେ ଅର୍ପଣ କରିଥାନ୍ତି । କ୍ବାକ୍ ହାତରେ ଥଣ୍ଡା,କାଶ, ଜ୍ବର,ମୁଣ୍ଡ ବ୍ଯଥା ସାମାନ୍ଯ ରୋଗତ ଭଲ ହୋଇଯାଏ,ମାତ୍ର ବଡ ବଡ ବ୍ଯଧିରେ ଆକ୍ରାନ୍ତ ରୋଗୀଙ୍କୁ ବିନା ପରୀକ୍ଷା ନିରୀକ୍ଷାରେ ମଧ୍ଯ ମିଠା ମିଠା କଥା କହି ଏଣୁ ତେଣୁ ଚିକିତ୍ସା କରି ରୋଗୀଙ୍କ ରୋଗକୁ ଜଟିଳ କରି ମରଣ ମୁହଁକୁ ଠେଲି ଦେଇଥାନ୍ତି । କ୍ବାକ ଦ୍ବାର ଚିକିତ୍ସିତ ରୋଗୀ ମୁର୍ମୂଷୁ ଅବସ୍ଥାରେ ଶେଷରେ ସରକାରୀ ହସ୍ପିଟାଲରେ ପହଞ୍ଚେ ପ୍ରାଣ ବଞ୍ଚାଇବା ପାଇଁ । ଭୁଲ ଚିକିତ୍ସା ଏବଂ ଅବହେଳା ପାଇଁ ରୋଗୀର ଜୀବନ ଅକାଳରେ ଚାଲିଯାଇଥାଏ । ମାଲକାନଗିରି ଜିଲ୍ଲାରେ କ୍ବାକମାନେ ଏଲୋପ୍ଯାଥିକ ଔଷଧ ଦ୍ବାରା ରୋଗୀସେବା କରିବା ଜିଲ୍ଲା ଗଠନ ହେବା ପୂର୍ବରୁ ପ୍ରଚଳିତ ହୋଇ ଆସିଛି । କିଛି କ୍ବାକ ବାପ ଅଜା ଅମଳରୁ ବଂଶାନୁକ୍ରମିକ କରି ଆସୁଛନ୍ତି । କାରଣ ଏହିଥିରେ ଦୁଇ ପଇସା କମେଇବାର ସହଜ ଏବଂ ସରଳ ବିଦ୍ଯା ।ତେବେ ଜିଲ୍ଲା ପ୍ରଶାସନର ଚରମ ଉଦାସିନତା ଯୋଗୁଁ ଗାଁ ଗହଳରେ କ୍ବାକମାନଙ୍କ ଅଖଣ୍ଡ ପ୍ରଭାବ ରହିଛି । ପ୍ରତି ଦିନ କେଉଁଠି ନା କେଉଁଠି ରୋଗୀଙ୍କ ଜୀଲନ ସହ କ୍ବାକମାନଙ୍କ ଖେଳ ଚାଲିଛି ।ବର୍ତ୍ତମାନ କାଲିମେଳା ଅଞ୍ଚଳରୁ ତିନି ଜଣ କ୍ୱାକଙ୍କୁ କାଲିମେଳା ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ବିନା ଲାଇସେନ୍ସରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ସେହି କ୍ବାକମାନେ ହେଲେ ଏମଭି-୭୩ ଗ୍ରାମର ପରେସ ବାୱାଲି, ଏମଭି-୧୪ ଗ୍ରାମର ଶଶାଙ୍କ ପାଇକ ଓ ଏମଭି-୧୧ ଗ୍ରାମର ସଚିନ ପରାମାଣିକ ବୋଲି ଜଣା ପଡିଛି । ଚିକିତ୍ସା କରିବା ସମ୍ବନ୍ଧୀୟ କୌଣସି ପ୍ରକାର ତାଲିମ ଏମାନେ ରୋଗୀଙ୍କ ନିକଟରେ ନଥିଲା ବେଳେ ରୋଗୀଙ୍କୁ ଚିକିତ୍ସା କରି ଜୀବନ ସହ ଖେଳୁଥିଲେ । ଏମାନଙ୍କ ବିରୁଧରେ ବହୁବାର ଅଭିଯୋଗ ହୋଇ ଆସୁଥିଲା । ଘଟଣାର ତଦନ୍ତ ପାଇଁ ମାଲକାନଗିରି ଏସପି ଋଷି କେଶ ଡି ଖିଲାରୀ ନିର୍ଦ୍ଦେଶ ଦେଇଥିବା ପରେ କାଲିମେଳା ପୋଲିସ ସେମାନଙ୍କୁ ଗିରଫ କରିବା ସହ ବହୁ ପରିମାଣର ଔଷଧ ମଧ୍ୟ ଜବତ କରିଛି । ୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରିଯାଇଛି । ତେବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ବାକ୍ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ତୁରନ୍ତ ତଦନ୍ତ କରାଯାଇ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.