ଡ଼ହ ଠାରେ ମା’ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ।

0 224

ଭଞ୍ଜନଗର,୨୫/୧୦(ପିପିଟି): ଭଞ୍ଜନଗର ଜଳସେଚନ ବିଭାଜନ ଅନ୍ତର୍ଗତ ଡ଼ହ ଡ୍ୟାମ ଠାରେ ୪୦ତମ ମା’ ଶ୍ୟାମା କାଳୀ ପୂଜା ବେଶ ଧୁମଧାମ ସହକାରେ ପାଳନ କରାଯାଉଛି।ସୋମବାର ପବିତ୍ର ଦୀପାବଳିରେ ବିଭିନ୍ନ ରୀତିନୀତି ଅନୁଯାୟୀ ଡ଼ହ ଜଳ ଭଣ୍ଡାରରୁ ଶୋଭାଯାତ୍ରାରେ ଜଳ ଅଣାଯାଇ ମା’ ଙ୍କର ଆବାହନ କରାଯାଇଥିଲା। ଏଥିସହ ପୂଜା, ହୋମ,ମହାପୂଜା, ଦୀପଦାନ, ଚଣ୍ଡୀପାଠ,ବଳିଦାନ,ଚକ୍ଷୁଦାନ,ଜୀବନ୍ୟାସ,ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି, ଆଳତୀ ଆଦି କାର୍ଯ୍ୟକ୍ରମ ସମାପନ ହୋଇଥିଲା। ମଙ୍ଗଳବାର ସୂର୍ଯ୍ୟପରାଗ ଯୋଗୁଁ ପୂଜାକାର୍ଯ୍ୟ ନିଷେଧ ହୋଇଥିଲା। ଏଥିରେ ସହକାରୀ ଯନ୍ତ୍ରୀ ରମାକାନ୍ତ ଦାସ ଓ ପତ୍ନୀ ନିତା ଦାସ କର୍ତ୍ତା ଭାବେ ଉପସ୍ଥିତ ରହି ଦାୟୀତ୍ୱ ତୁଲାଇଥିଲେ। ବୁଧବାର ଦୈନିକ ପୂଜାର୍ଚ୍ଚନା ଏବଂ ସନ୍ଧ୍ୟାରେ ଆଳତୀ ପରେ ୟୁନିକ ଡ୍ୟାନ୍ସ ଏକାଡେମୀ, ଭଞ୍ଜନଗର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗୁରୁବାର ଦୈନିକ ପୂଜାର୍ଚ୍ଚନା,ସନ୍ଧ୍ୟା ଆଳତୀ ଏବଂ ଶୁକ୍ରବାର ଦେବୀଙ୍କ ପ୍ରତିମା ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ମା’ଙ୍କର ସୁନ୍ଦର ମୃଣ୍ମୟୀ ମୂର୍ତ୍ତି, ଆକର୍ଷଣୀୟ ସାଜସଜ୍ଜା ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ପ୍ରାତଃ ଆଳତୀ ଦର୍ଶନ ନିମନ୍ତେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଦେବୀ କୃପା ଲାଭ କରିଥିଲେ। ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା, ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ,କନିଷ୍ଠ ଯନ୍ତ୍ରୀ ବିଶ୍ୱ ମୋହନ ବେହେରାଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.