ଠିକା କର୍ମଚାରୀଙ୍କ ପରି ସମସ୍ତ ଆଉଟସୋରସିଂ କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବି ।

0 267

ବ୍ରହ୍ମପୁର,୨୩/୧୦(ପିପିଟି):ରାଜ୍ୟ ସରକାର ନିକଟରେ ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା ସହ ରାଜ୍ୟରୁ ସବୁଦିନ ପାଇଁ ଠିକାପ୍ରଥାକୁ ମୁଳୋତ୍ପାଟନ କରାଗଲା ବୋଲି ଯେଉଁ ଘୋଷଣା କରିଛନ୍ତି ତାହା ପ୍ରତାରଣାପୂର୍ଣ୍ଣ ଓଡିଶା ଆଉଟସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ କୁହାଯାଇଛି । ସରକାର ନିଜ ଦ୍ଵାରା ସିଧାସଳଖ ଭାବେ ଠିକାରେ ନିଯୁକ୍ତ ମାତ୍ର ୫୭ ହଜାର କର୍ମଚାରୀଙ୍କୁ ନିୟମିତ କରିଥିବା ବେଳେ ସର୍ଭିସ ପ୍ରୋଭାଇଡର ଏଜେନ୍ସିମାନଙ୍କ ଜରିଆରେ ନିୟୋଜିତ କରିଥିବା ଲକ୍ଷାଧିକ ଠିକା କର୍ମଚାରୀଙ୍କୁ ଏଯାଏଁ ନିୟମିତ କରିନାହାଁନ୍ତି । ସରକାରଙ୍କ ଠିକା ନିଯୁକ୍ତି ନିୟମ – ୨୦୧୩ର ଧାରା – ୪ ଅନୁସାରେ ସରକାରୀ ସେବାରେ ଦୁଇ ପ୍ରକାର ଠିକା କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ ସରକାର ସେଥିମଧ୍ୟରୁ କେବଳ ‘କ’ ଶ୍ରେଣୀର ଠିକା କର୍ମଚାରୀ ରୂପେ ପରିଚିତ କର୍ମଚାରୀଙ୍କୁ ହିଁ ନିୟମିତ କରିଛନ୍ତି । ଅଥଚ ‘ଖ’ ଶ୍ରେଣୀର ଠିକା କର୍ମଚାରୀ ରୂପେ ପରିଚିତ ଆଉଟସୋରସିଂ କର୍ମଚାରୀଙ୍କୁ ନିୟମିତ କରିନାହାଁନ୍ତି କି ସେମାନଙ୍କ ଦୁର୍ଦ୍ଦଶାମୟ ସ୍ଥିତିରେ କୌଣସି ବି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିନାହାନ୍ତି । ବଜାର ଦର ଅନୁସାରେ ସର୍ବନିମ୍ନ ଓ ନିୟମିତ ଦରମା, ସବୈତନିକ ଛୁଟି, ଚାକିରୀର ନିରାପତ୍ତା ଓ ସାମାଜିକ ସୁରକ୍ଷା ବିନା ବର୍ଷ ବର୍ଷ ଧରି ସରକାରୀ ସେବାରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଏହି କର୍ମଚାରୀଙ୍କ ପାଇଁ ସରକାରଙ୍କ ସାମାନ୍ୟତମ ଚିନ୍ତା ଥିବାର ମନେହେଉନି । ଏପରିକି ଅନ୍ୟ ନିୟମିତ କର୍ମଚାରୀଙ୍କ ଭଳି ମହିଳା ଆଉଟସୋରସିଂ କର୍ମଚାରୀଙ୍କ ପାଇଁ ପ୍ରସୂତିକାଳୀନ ଛୁଟିରୁ ବଞ୍ଚିତ ହେଉଥିବା ବେଳେ ପ୍ରତି ମାସରେ କର୍ମଚାରୀଙ୍କ ଦରମାରୁ ୧୮% କେବଳ ଜିଏସଟି ବୋଲି କାଟି ନିଆଯାଉଛି । ଏଭଳି ଅତ୍ୟନ୍ତ ଶୋଷଣ ଓ ଅପମାନଜନକ ସ୍ଥିତିରେ ବି ନିୟମିତ କର୍ମଚାରୀଙ୍କ ଠାରୁ ବି ଅଧିକ କାମ କରୁଥିବା ଏହି କର୍ମଚାରୀଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେଲେ ଠିକା ପରି ଆଉଟସୋରସିଂ ବ୍ୟବସ୍ଥାକୁ ମଧ୍ୟ ସମାପ୍ତ କରିବା ଅତ୍ୟନ୍ତ ଜରୁରୀ । କିନ୍ତୁ ସରକାର ସେମାନଙ୍କ ବାରମ୍ବାର ଦାବି ସତ୍ତ୍ୱେ ସେମାନଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ନଦେଇ ପୁଣି ଥରେ ପ୍ରତାରିତ କରିଛନ୍ତି ।
ଅତଏବ ଶୋଷଣକାରୀ ଆଉଟସୋରସିଂ ବ୍ୟବସ୍ଥାର ଉଚ୍ଛେଦ କରି ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଏହି କର୍ମଚାରୀଙ୍କୁ ନିୟମିତ କରିବା ଦାବିରେ ଆଗାମୀ ଦିନରେ ମହାସଙ୍ଘ ତରଫରୁ ରାଜ୍ୟସ୍ତରୀୟ ଆନ୍ଦୋଳନ କରିବାକୁ ଆଜି ଆଉଟସୋରସିଂ କର୍ମଚାରୀ ମହାସଂଘର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ନେତାମାନେ ଘୋଷଣା କରିଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ ମହାରଣାଙ୍କ ସମେତ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ, ଉପସଭାପତି ଜୟରାମ, ସମ୍ପାଦକ ବିନାୟକ ପତି, ଆଉଟସୋରସିଂ ମେଡ଼ିକାଲ କର୍ମଚାରୀଙ୍କ ନେତା ସିଏଚ୍ ସୁନୀଲ କୁମାର ପାତ୍ର, ଏନ୍ ନିରଞ୍ଜନ ଦାସ, କେ ଶ୍ରୀନିବାସ ପାତ୍ର, ରିଙ୍କି ବିଷୋୟୀ, ଆୟୁଷ୍ମାନ ରଥ, ଅଭିଷେକ ଗୌଡ଼, ଦୀପିକା ମହାରଣା, ଅନୀଲ ସାହୁ, ପଞ୍ଚାୟତରାଜ କର୍ମଚାରୀଙ୍କ ନେତା ମିହିର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.