ପୋଲସରା,୦୯/୦୫(ପିପିଟି) : ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ କଳମ୍ବ ଗ୍ରାମର ବାସିନ୍ଦା ସଂଜିତା ସାହୁଙ୍କ ଟ୍ରେନରୁ ଖସିପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ଶ୍ରୀମତୀ ସାହୁ ହଜରତ୍ ନିଜାମୁଦ୍ଦିନ୍ନ୍ ପୁରୀ- ହରିଦ୍ଵାର ଉକ୍ତଳ ଏକ୍ସପ୍ରେସରେ ହରିଦ୍ଵାରମୁଖେ ଯାତ୍ରା କରିଥିବାବେଳେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଷ୍ଟେସନରେ ଗାଡ଼ି ଅଟକିଥିଲା। ଗାଡିରୁ ଓହ୍ଲାଇ ପିଇବାପାଣି ଆଣି ଡବା ନିକଟକୁ ଆସିବା ବେଳକୁ ଟ୍ରେନଟି ଛାଡିଦେଇଥିବାରୁ ସେ ତରବର ହୋଇ ବଗିରେ ଚଢିବା ବେଳେ ତଳକୁ ଖସି ପଡ଼ିଥିଲେ। ଖସି ପଡ଼ିବାରୁ ତାଙ୍କର ମୁଣ୍ଡର ପଛପଟେ ଶକ୍ତ ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ରେଳବାଇ ଜିଆରପି ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ଲାଟଫର୍ମରୁ ଉଦ୍ଧାର କରି ଝାରସୁଗୁଡା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଯୋଗ୍ୟଯେ, ଶ୍ରୀମତୀ ସାହୁ ଜଣେ ଶିକ୍ଷୟତ୍ରୀ ଥିଲେ। ବର୍ତ୍ତମାନ ସମୟରେ ପୋଲସରା ସ୍ଥିତ ପ୍ରତିଷ୍ଠିତ ଲିଙ୍ଗରାଜ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ଵ ତୁଲାଇ ଆସୁଥିବାବେଳେ ତାଙ୍କର ଏଭଳି ଆକସ୍ମିକ ଦୁଃଖଦ ମୃତ୍ୟୁ ଘଟଣାକୁ ନେଇ କଳମ୍ବ ଗ୍ରାମ ସମେତ, ଶିକ୍ଷକ ଏବଂ ବୁଦ୍ଧିଜୀବୀ ମହଲରେ ଗଭିର ଶୋକଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ୯ ତାରିଖ ଶୁକ୍ରବାର ଦିନ ସକାଳ ୫ଟା ସମୟରେ ବୁର୍ଲାରୁ ନିଜର କଳମ୍ବ ଗ୍ରାମରେ ଆମ୍ବୁଲାନ୍ସ ଦ୍ଵାରା ମରଶରୀର ପହଞ୍ଚିବା ପରେ ଗ୍ରାମବାସୀ,ଶିକ୍ଷକ ମହଲ, ବୁଦ୍ଧିଜୀବୀ, ବିଭିନ୍ନ ନେତୃବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ ଏଵଂ ଶ୍ରଦ୍ଧାଞ୍ଜଳି ଦେଇଥିବାରୁ ଦେଖିବାକୁ ମିଳିଥିଲା। ଶେଷରେ ପରିବାର ତରଫରୁ ଗ୍ରାମବାସୀଙ୍କ ସହଯୋଗରେ ଏକ ଶୋଭାଯାତ୍ରା ଜରିଆରେ ସମଗ୍ର କଳମ୍ବ ଗ୍ରାମ ବୁଲାଯାଇ ଗ୍ରାମ ନିକଟସ୍ଥ ଶ୍ମଶାନ ଘାଟରେ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ବର୍ଗତଙ୍କ ସ୍ଵର୍ଗାରୋହଣ ଖବର ପାଇ ବିଇଓ କାର୍ଯ୍ୟାଳୟରେ ନୂତନ ବିଇଓ ଶ୍ରୀଯୁକ୍ତ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା କରାଯାଇ ସ୍ବର୍ଗତ ଆତ୍ମାର ଶାନ୍ତି ପାଇଁ ନବର ପ୍ରାର୍ଥନା କରାଯିବା ସହ ଶୋକଶନ୍ତପ୍ତ ପରିବାର ପ୍ରତି ଗଭିର ସମବେଦନା ଜ୍ଞାପନ କରାଯାଇଛି। ଏଥିରେ କାର୍ଯ୍ୟାଳୟର ଅନ୍ୟ ସମସ୍ତ ଷ୍ଟାଫ୍ ଓ କର୍ମଚାରିମାନଙ୍କ ସମେତ ହାତୀଓଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା