ପଦ୍ମପୁର,୧୨/୦୯(ପିପିଟି); ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପୁଢ଼େରଖେର ଗ୍ରାମ ମଧ୍ୟରେ ୧୧କେଭି ତାର ଟଣାଯାଇଛି ଯାହାଦ୍ୱାରା ଲୋକଙ୍କ ଜୀବନ ବିପଦରେ ଅଛି । ସୂଚନା ଅନୁଯାୟୀ ଗାଁ ରେ ଲାଗିଥିବା ୬୩ କେଭି ଟ୍ରାନ୍ସଫର୍ମର ସେଠାକୁ ସଂଯୋଗ କରୁଥିବା ତାର ଗାଁ ମଧ୍ୟଦେଇ ଯାଇଥିବାରୁ ଅନେକ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଏହି ତାର ଗାଁର ପ୍ରାୟ ୩୫ ପରିବାର ଘର ଉପରେ ଯାଇଛି । କିଛିଦିନ ପୂର୍ବେ ଗୌର ଚନ୍ଦ୍ର ଝଗରା ନାମକ ବ୍ୟକ୍ତି ଛପର ଓଳଟାଉଥିବା ସମୟରେ ଏକ ବାଉଁଶ ୧୧ କେଭି ତାରରେ ସଂଯୋଗ ହୋଇଯାଇଥିଲା ଯାହା ଫଳରେ ବିଦ୍ୟୁତ ଝଟକା ପାଇ ତଳେ କଚାଡି ହୋଇ ତାଙ୍କ ହାତ ଭାଙ୍ଗିଯାଇଥିଲା ସୌଭାଗ୍ୟ ବଶତଃ ତାଙ୍କ ଜୀବନ ବଂଚିଯାଇଛି ସିନା ଆଗାମୀ ଦିନରେ ହେବାକୁ ଥିବା ବଡ଼ ଦୁର୍ଘଟଣା ପ୍ରତି ସତର୍କ ସୂଚନା ପ୍ରଦାନ କରିଛି । ଏଥିପାଇଁ ଲୋକେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଅନେକ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ସେମାନେ ନିଦାବିଷ୍ଣୁ ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାଛଡା ଟ୍ରାନ୍ସଫରମର ଟି ଗାଁ ମଝିରେ ଥିବା ଯୋଗୁଁ ଲୋକେ ଅନେକ ଭୟଭୀତ ରହୁଛନ୍ତି ।ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ କଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେବା ସଙ୍ଗେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)