ମାଲକାନଗିରି,ତା:୦୪/୦୯(ପିପିଟି); ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତି ବର୍ଷ ତଦନୁସାରେ ଶିକ୍ଷାନୁଷ୍ଠାରୁ ଯୁବ ଯୁବତୀମାନେ ଆଶାନୁରୂପେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରୀ ଅପେକ୍ଷାରେ ଭିଟା ମାଟିକୁ ଯାବୁଡି ଧରି ବର୍ଷ ବର୍ଷ ପଡି ରହିଛନ୍ତି । ହେଲେ ସରକାରୀ ଚାକିରୀ ନାହିଁ । ଭଲ ମାର୍କ ପରୀକ୍ଷାରେ ରହିବା ପାଇଁ ବେସକାରୀ ଶିକ୍ଷାନୁଷ୍ଠାନରୁ ଅବିଭାବକମାନେ ମୋଟା ଅଙ୍କର ଅର୍ଥ ବହନ କରି ପାଠ ପଢାଇଥାନ୍ତି । ପିଲାକୁ ଖଣ୍ଡେ ସରକାରୀ ଚାକିରୀ ମିଳିବ ବୋଲିବାପା ମାଅଙ୍କ ବଡ ଆଶା । ପରୀକ୍ଷାରେ ଭଲ ନମ୍ବର ରହଲେ ମେରିଟ ବୋଲି ବବେଚନା କରି ମେରିଟ୍ ପଛରେ ଚାକିରୀ ମିଳିବ ବୋଲି ସମସ୍ତ ଅଭିଭାବଙ୍କ ମନରେ ଏକ ଭୂତ ବସା ବାନ୍ଧିଛି,ହେଲେ ଚାକିରୀକୁ ଆଶା ବାନ୍ଧି କେତେକ ଯୁବକ ଯୁବତୀ ବୟସର ସୀମା ଟପିଲା ପର୍ଯ୍ଯନ୍ତ ଅପେକ୍ଷା କରିଥାନ୍ତି । ନିୟୋଜନ କାର୍ଯ୍ଯାଳୟରୁ ନାଁଟି ବାଧ୍ଯତା ମୂଳକ ଉଛେଦ ହେଲା ପରେ ସେ ଭାଗ୍ଯକୁ ଆଦରୀ ଦାଦନ ଖଟିବାକୁ ବାହାରକୁ ଗୋଡ କାଢନ୍ତି ଶିକ୍ଷିତ ବେକାରମାନେ । ଯେଉଁମାନଙ୍କ ବୟସ ସୀମା ପାର ହୋଇ ନଥାଏ,ସେମାନଙ୍କ ମନରେ ଚାକିରୀ ମିଳିବାର ସ୍ବପ୍ନ ତେଜିୟାନ ହୋଇ ଉଠେ। ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ଶିକ୍ଷିତ ବେକାରୀମାନଙ୍କୁ ଚାକିରୀ ଦେବାର ପ୍ରତିଶ୍ରୁତି ଦେଇ ଶାସନ ଗାଦିରେ ବସିଲା ପରେ କର୍ମ ନିୟୋଜନ ପ୍ରତିଶ୍ରୁତିକୁ ପାଞ୍ଚ ବର୍ଷ ପର୍ଯ୍ଯନ୍ତ ପାଶୋରୀ ଦିଅନ୍ତି । କେନ୍ଦ୍ର ଏବଂ ରାଜ୍ଯ ସରକାର ପ୍ରତି ବର୍ଷ ସେଇ ଗୋଟିଏ ପ୍ରତାରଣା । ନିର୍ବାଚନ ଝଡ ଆସେ ପୁଣି ଫେରିଯାଏ କିନ୍ତୁ ଶିକ୍ଷିତ ଯୁବକ ଯୁବତୀମାନଙ୍କ ସମସ୍ଯା ବର୍ଷ ବର୍ଷ ମାନସିକ ଦୁଃଶ୍ଚିନ୍ତାରେ କଟେ । ସ୍ବପ୍ନ ସବୁ ଧୂଳିସାତ ହୁଏ । ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ୧୦ ହଜାର ଶିକ୍ଷିତ ବେକରଙ୍କ ନାମ ସରକାରୀ ଜିଲ୍ଲା ନିୟୋଜନ କାର୍ଯ୍ଯାଳୟରେ ପଞ୍ଜିକରଣ କରାଯାଇଛି । ତନ୍ମଧ୍ଯରୁ ଅଣ୍ଡର ମାଟ୍ରିକ ୪୦୬ଜଣ,ମାଟ୍ରକ ୩୦୬୪ଜଣ, +୨ ପାଶ ପ୍ରାର୍ଥି ୩୮୨୨ଜଣ,ଗ୍ରାଜୁଏଟ୍ କଳା ୧୨୭୫ ଜଣ,ଗ୍ରାଜୁଏଟ୍ ବିଜ୍ଞାନ ୨୬୮ ଜଣ,ଗ୍ରଜୁଏଟ୍ ବାଣିଜ୍ଯ ୧୫୯ ଜଣ,ବିବିଏ ୬ ଜଣ,ବିସିଏ ୧୪ ଜଣ,ଡିପ୍ଲୋମା ୧୫୦ ଜଣ, ଆଇଟିଆଇ ୨୬୮ ଜଣ,ସିଟି ପ୍ରଶିକ୍ଷଣ ୧୧୮ ଜଣ ପ୍ରାର୍ଥ ନାମ ପଞ୍ଜିକରଣ କରିଛନ୍ତି । ପୁରୁଷ ୬୭୭୩ ଜଣଏବଂ ମହିଳା ୩୪୦୯ ଜଣଙ୍କ ନାମ ପଞ୍ଜି କରଣ ହୋଇଛି । ମାଲକାନଗିରି ଜିଲ୍ଲାର ମୋଟ ଶିକ୍ଷିତ ପ୍ରାର୍ଥି /ପ୍ରଥିନୀ ୯୬୫୭ ଜଣଙ୍କ ମଧ୍ଯରୁ ସାଧାରଣ ବର୍ଗର ୨୭୪୫ ଜଣ,ଏସସି ବର୍ଗର ୩୩୮୪ ଜଣ,ଏସଟି ବର୍ଗର ୩୫୧୬ ଜଣ ନାମ ପଞ୍ଜିକୃତ କରିଛନ୍ତି । ସେହିପରି ଅର୍ଦ୍ଧ ଶିକ୍ଷିତ ୪୯୦ ଜଣ ନାମ ପଞ୍ଜିକରଣ ରହିଥିବା ବେଳେ ସାଧାରଣ ବର୍ଗରୁ ୧୦୭ ଜଣ,ଏସସି ବର୍ଗରୁ ୧୯୫ ଜଣ ଏବଂ ଏସଟି ବର୍ଗରୁ ୨୩୫ ଜଣ ନାମ କର୍ମ ନିୟୋଜନ ସଂସ୍ଥାରେ ନାମ ପଞ୍ଜିକରଣ କରିଛନ୍ତି । ତେବେ ନବୀନବାବୁଙ୍କ ପାଞ୍ଚ ପାଳି ସରକାରରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଚାକିରୀ ନାହିଁ କି ସେମାନଙ୍କୁ ଥଇଥାନ କରିବା ପାଇଁ ବିକଳ୍ପ ବ୍ଯବସ୍ଥା ନାହିଁ । ଅନ୍ଯ ପକ୍ଷରେ ସବୁ ସରକାରୀ କାର୍ଯ୍ଯାଳୟରେ କର୍ମଚାରୀଙ୍କ ଘୋର ଅଭାବ ଦେଖା ଦେଇଛି । ତେବେ ପଦବୀ ଉଛେଦ କରିବାରେ ସରକାର ଚକ୍ରାନ୍ତ ଚଳାଇଥିବା ବେଳେ ନୂତନ ନିଯୁକ୍ତି ସମ୍ଭାବନା ଶୂନ୍ । ଏଣେ ନୈରାସ୍ଯ ଅନ୍ଧକାର ମଧ୍ଯରେ ଶିକ୍ଷିତ ଯୁବକ ଯୁବତୀଙ୍କ ଭବିଷ୍ଯତ । ତେଣେ ପିତାମାତାଙ୍କ ସ୍ବପ୍ନ ଚୁରମାର । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)