ମାଲକାନଗିରି,୧୯/୧୦(ପିପିଟି):
ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ ପ୍ରମୁଖ ମଞ୍ଚାସୀନ ଥିଲେ। ନୂତନ ଭାବେ ଏହି ମଞ୍ଚ ଗଠନ କରାଯାଇଥିବା ବେଳେ ଗ୍ରାହକ ମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରା ଯାଇଥିଲା। ନିରାପତ୍ତା ଅଧିକାର, ଜୀବନ ଓ ସମ୍ପତି ପାଇଁ ବିପଦ ଜନକ ଏବଂ କ୍ଷତିକାରକ ସାମଗ୍ରୀ ଓ ସେବା ଗୁଡିକରେ ଗ୍ରାହକଙ୍କୁ ସୁରକ୍ଷା ଦେବା, ଶୁଦ୍ଧତା, ମାନକ ଓ ମୂଲ୍ୟ ବିଷୟରେ ଅବଗତ ହୋଇ ଗ୍ରାହକ ଅସାଧୁ ବାଣିଜ୍ୟ କାରବାରରେ ସୁରକ୍ଷିତ ରହିବାର ଅଧିକାର, ପ୍ରତି ଯୋଗିତା ମୂଳକ ମୂଲ୍ୟରେ ବିଭିନ୍ନ ଦ୍ରବ୍ୟ ସେବା ଏବଂ ଉତ୍ପାଦନ ପାଇବା, ଅନ୍ୟାୟ ଓ ପ୍ରତିବନ୍ଧକ ବାଣିଜ୍ୟ ଅଭ୍ୟାସ ବିରୁଦ୍ଧରେ ସମ୍ପୃକ୍ତ ଫୋରମରେ ଉପଯୁକ୍ତ ବିଚାର ପାଇବା ସହ ବିକ୍ରେତାଙ୍କ ଦ୍ୱାରା ଅନ୍ୟାୟ ହୋଇଥିଲେ ସମ୍ପୃକ୍ତ ଉପଭୋକ୍ତାଙ୍କୁ କ୍ଷତିପୂରଣ ପ୍ରଦାନ, ମାମଲା ଖର୍ଚ୍ଚ କିମ୍ବା ବିଚାର ଗ୍ରହଣ କରିବାର ଅଧିକାର ଆଦି ସମ୍ପର୍କରେ ଏହି ଅବସରରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା । ଗ୍ରାହକ ସୁରକ୍ଷା କମିଟିରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ସହ ଗ୍ରାହକ ମାନେ କିଭଳି ଶୋଷଣରୁ ମୁକ୍ତ ହେବେ ସେଥି ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା କରା ଯାଇଥିଲା।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)