ମାଲକାନଗିରି,୨୭/୧୨(ପିପିଟି): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୧୧ ତମ କୃଷି ଭିତ୍ତିକ ଗଣନା ୨୦୨୧-୨୨ ନେଇ ଏକ ଜିଲ୍ଲା ସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ଏହି କୃଷି ଭିତ୍ତିକ ଗଣନା ନିମନ୍ତେ ପ୍ରତ୍ୟେକ କ୍ଲଷ୍ଟରରେ ଏକ ଦକ୍ଷ ଦଳ ଗଠନ କରି ଦାୟିତ୍ଵ ସମ୍ପାଦନ କରିବାକୁ ଶ୍ରୀ ନାଏକ ପରାମର୍ଶ ଦେଇଛନ୍ତି।ଏଥି ନିମନ୍ତେ କୃଷି, ଉଦ୍ୟାନ କୃଷି ଏବଂ ପ୍ରାଣୀ ସମ୍ପଦ ବିଭାଗର ସହାୟତା ନେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କୃଷି ଭିତ୍ତିକ ଗଣନା ନେଇ ଡିପିଏମୟୁ ଉପନିର୍ଦ୍ଦେଶକ ଗୋଲକ ଦଳେଇ ଏକ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସୂଚନା ଯୋଗ୍ୟ, ୧୯୭୦-୭୧ ଦଶକରେ ଦେଶରେ ପ୍ରଥମ କୃଷି ଭିତ୍ତିକ ଗଣନା କାର୍ଯ୍ୟକାରୀ ହୋଇଥିଲା। ପ୍ରତ୍ୟେକ ପାଞ୍ଚ ବର୍ଷରେ ଥରେ ଏହି ଗଣନା କରାଯାଇଥାଏ । ଯୋଜନା ଓ ସଂଯୋଜନ, କୃଷି ଓ କୃଷକ ସଶକ୍ତିକରଣ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କର୍ମଚାରୀଙ୍କୁ ନେଇ ଜିଲ୍ଲାରେ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ୨୦୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗଣନାରେ ଶତ ପ୍ରତିଶତ ଗ୍ରାମାଞ୍ଚଳ ଅନ୍ତର୍ଭୁକ୍ତ ହେବ । ସମସ୍ତ ତଥ୍ୟକୁ ଡିଜିଟାଲ ମାଧ୍ୟମରେ ସଂଗ୍ରହ କରାଯିବ ଯାହା ବିଭାଗର ୱେବ ପୋର୍ଟାଲରେ ଉପଲବ୍ଧ ହେବ। ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ସମବାୟ ସମିତି ରେଜିଷ୍ଟ୍ରାର, ଏନଆଇସି ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)