ଜିଲ୍ଲାରେ ତ୍ରି ସ୍ତରୀୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।

0 288

ବ୍ରହ୍ମପୁର,୧୪/୦୨(ପିପିଟି): ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୬ ଫେବୃୟାରୀ ତାରିଖ ଦିନ ଶେରଗଡ , ହିଞ୍ଜିଳିକାଟୁ, କୁକୁଡାଖଣ୍ଡି , ଦିଗପହଣ୍ଡି ଏବଂ ପୋଲସରାର ଭୋଟଦାତାଗଣ ସକାଳ ୭ଘ. ଠାରୁ ଦିବା ୧ଘ.ମଧ୍ୟରେ ସେମାନଙ୍କର ବହୁମୂଲ୍ୟ ଭୋଟ୍ ପ୍ରଦାନ କରିବେ । ଏଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହୋଇ ସାରିଛି । ଆଜି ସମସ୍ତ ପୋଲିଂ ପାର୍ଟି ସମସ୍ତ ସରଞ୍ଜାମ ଘେନି ସେମାନଙ୍କ ଭୋଟ ଗ୍ରହଣ କେନ୍ଦ୍ର ରେ ପହଞ୍ଚି ସାରିଛନ୍ତି । ଏଥି ନେଇ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ଙ୍କର ପ୍ରଥମ ମିଳିତ ସମନ୍ବୟ ବୈଠକ ଜିଲ୍ଲା ଓସ୍ବାନ ହଲ୍ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଇନ୍ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ପୋଲିସ୍ ଓ ପ୍ରଶାସନ ସମ୍ପୂ୍ଣ୍ଣ ସଜାଗ ରହିବାକୁ ପଡିବ । ପୂର୍ବ ଇତିହାସକୁ ଦୃଷ୍ଟିରେ ରଖି ବିଶୃଙ୍ଖଳା ପରିସ୍ଥିତି ନ ହେବାଭଳି ସମସ୍ତ ବ୍ୟବସ୍ଥାକୁ କଡାକଡି କରିବାକୁ କୁହାଯାଇଛି । ମିଳିତ ଚଢାଉ ହେବ । ରାତ୍ରୀକାଳୀନ ପେଟ୍ରୋଲିଂ କୁ କଡାକଡି କରାଯିବ । ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳ ପ୍ରତି ସତର୍କତାର ସହିତ ବ୍ୟାପକଦୃଷ୍ଟି ଦିଆଯିବ । ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଏବଂ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ କଡାକଡି ପଦକ୍ଷେପ ଗ୍ରହଣ କରାଯିବ । ମଦଦୋକାନ ଗୁଡିକ ନିର୍ବାଚନ ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ଏବଂ ଅବକାରୀ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ତତ୍ ସହିତ ଚଢାଉକାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟ ତଦାରଖ କରିବା ନେଇ ଆସିଥିବା ପର୍ଯ୍ୟବେକ୍ଷକ ତଥା ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିରେନ୍ଦ୍ର କୁମାର କରକରା ଜଣାଇଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁନ୍ଦର ଓ ସୁଚାରୁ ରୂପେ ସମ୍ପାଦିତ ହୋଇଛି । ଏଣୁ ଜିଲ୍ଲା ପ୍ରଶାସନ ଧନ୍ୟବାଦର ପାତ୍ର । ନିର୍ବାଚନର ଆରମ୍ଭ ଠିକ୍ ରୂପେ ପରିଚାଳନା ହେଇ ପାରିଲେ ନିର୍ବାଚନ ମାଧ୍ୟମ ଏବଂ ପରବର୍ତ୍ତି ଶେଷ ପର୍ଯ୍ୟାୟ ସୂଚାରୁ ରୂପେ ସମ୍ପାଦିତ ହୋଇ ପାରିବ । ଅପ୍ରିତିକର ପରିସ୍ଥିତିକୁ ଏଡାଇବା ସକାଶେ ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କ ଉପରେ କଡା ନଜର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଅବଗତ କରାଇଛନ୍ତି । ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରଖି ଭୋଟଦାତାଗଣ କିଭଳି ବିନା ଦ୍ବିଧାରେ ଭୋଟ ଦେବେ ସେଥି ସକାଶେ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟକୁ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀ , ସେମାନଙ୍କ ପ୍ରତିନିଧି , ଯେଉଁ ମାନଙ୍କୁ ପାସ୍ ଦିଆଯାଇଛି କେବଳ ସେହିମାନେ ହିଁ ପ୍ରବେଶ କରିପାରିବେ । ଭୋଟଦାତାଗଣ ନିଜ ପରିଚୟ ପତ୍ର ଘେନି ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେବେ । ଏତଦ୍ବ୍ୟତୀତ ଅନ୍ୟ କାହାରିକୁ ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ବାରଣ କରାଯାଇଛି । ସାମ୍ବାଦିକଗଣ ଭୋଟଗ୍ରହଣ କେନ୍ଦ୍ରର ପରିଧି ମଧ୍ୟକୁ ପ୍ରବେଶ ନକରି କେବଳ ବାହାରେ ଥାଇ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିପାରିବେ । ଭୋଟକୁ ସୁଚାରୁ ରୂପେ ସମ୍ପାଦନ ସକାଶେ ସହଯୋଗ କରିବା ନିମନ୍ତେ ସମସ୍ତଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି । ପାଞ୍ଚଟି ବ୍ଲକ୍ ରେ ହେଉଥିବା ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୧୬ଟି ଗ୍ରାମ ପଞ୍ଚାୟତ ନିମନ୍ତେ ୧୧୬ ସରପଞ୍ଚ ଓ ୧୧୬ ସମିତି ସଭ୍ୟ/ସଭ୍ୟା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଉଛି । ୧୬ ଗୋଟି ଜିଲ୍ଲା ପରିଷଦ ଜୋନ୍ ସକାଶେ ସମୁଦାୟ ୧୬୪୫ଗୋଟି ବୁଥ୍ ପ୍ରସ୍ତୁତ ହୋଇଛି । ଭୋଟ୍ ସଂଗ୍ରହ ସକାଶେ ୧୬୪୫ ଗୋଟି ପୋଲିଂ ପାର୍ଟି ସମୁଦାୟ ୫୬୭୭୫୬ ଭୋଟରଙ୍କ ଠାରୁ ଭୋଟ୍ ସଂଗ୍ରହ କରିବା ନିମନ୍ତେ ସ୍ଥିର ହୋଇଛି । ୧୪୬ଗୋଟି ବୁଥ୍ କୁ ଅତ୍ୟଧିକ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଥିବା ସ୍ଥଳେ ୧୭୮ଗୋଟି ବୁଥ୍ କୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ୍ ଗୁଡିକରେ ପୂର୍ଣ୍ଣମାତ୍ରାରେ ଭିଡିଓ ଉତ୍ତୋଳନ ହେବାର ବ୍ୟବସ୍ଥା ହୋଇଛି । ପାତ୍ରପୁର ବ୍ଲକ୍ ର ୧୬ ଗୋଟି ବୁଥ୍ ଅତି ଦୁର୍ଗମ ଅଞ୍ଚଳରେ ରହିଛି । ୧୭ ଗୋଟି ଅସ୍ଥାୟୀ ବୁଥ୍ ନିର୍ମାଣ କରାଯାଇଛି । ମହିଳା ମାନଙ୍କ ଭୋଟ ସକାଶେ ୫ ଗୋଟି ମହିଳା ବୁଥି ପ୍ରଥମ ଥର ପାଇଁ ଖୋଲାଯାଇଛି । ଏହି ମହିଳା ବୁଥ୍ ଗୁଡିକ ୫ ଗୋଟି ବ୍ଲକ୍ ର ବ୍ଲକ୍ ହେଡ କ୍ବାର୍ଟରରେ ଖୋଲାଯାଇଛି । ଯେଉଁଥିରେ ସମସ୍ତ ପୋଲିଂ ଅଧିକାରୀ ଏବଂ ପୋଲିସ୍ କର୍ମୀ ମହିଳା ଗଣ ନିୟୋଜିତ ଅଛନ୍ତି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ , ପୋଲିସ୍ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ , ଅବକାରୀ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.