ଜାନୁଆରୀ ୨୨ ଓ ୨୩ ଦୁଇଦିନ ଧରି ଭୁବନେଶ୍ୱରରେ ହେବ ଫରୱାର୍ଡ଼ ବ୍ଲକ୍‌ର ଦଶମ ରାଜ୍ୟ ସମ୍ମିଳନୀ ।

0 227

ଭୁବନେଶ୍ୱର,୧୮/୦୧(ପିପିଟି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ’ ର ଦଶମ ରାଜ୍ୟ ସମ୍ମିଳନୀ ଆସନ୍ତା ଜାନୁଆରୀ ୨୨ ଓ ୨୩, ୨୦୨୩ ଦୁଇଦିନ ଧରି ଭୁବନେଶ୍ୱର ୟୁନିଟ୍‌ -୬ ସ୍ଥିତ ନେତାଜୀ ଭବନରେ ପରିସରରେ ଅନୁଷ୍ଠିତ ହେବ । ଏହି ଦୁଇଦିନିଆ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧି ନୀତି, ବେରୋଜଗାରୀ, ଅହେତୁକ ଦରଦାମ ବୃଦ୍ଧି, ତୈଳ ଓ ଇନ୍ଧନ ଗ୍ୟାସର ଆକାଶଛୁଆଁ ଦରବୃଦ୍ଧି, ବିଦ୍ୟୁତ ଶୁଳ୍କ ବୃଦ୍ଧି, ଶ୍ରମିକ ଛଟେଇ, ଫସଲର ଅଭାବି ବିକ୍ରୀ, କଳକାରଖାନା ବନ୍ଦ, ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଘରୋଇକରଣ, ଶ୍ରମ ଆଇନରେ ସଂଶୋଧନ ଆଦି ଜନ ସମସ୍ୟା ଉପରେ ବ୍ୟାପକ ଭାବରେ ଆଲୋଚନା କରାଯାଇ ପାର୍ଟିର ଆଗାମୀ ଦିନର ସାଂଗଠନିକ ରଣନୀତି ନିର୍ଦ୍ଧାରଣ କରାଯିବ ।
ଏହି ସମ୍ମିଳନୀରେ ଫରୱାର୍ଡ଼ ବ୍ଲକ୍‌ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ, ଫରୱାର୍ଡ଼ ବ୍ଲକର ତେଲେଙ୍ଗାନା କମିଟିର ସାଧାରଣ ସମ୍ପାଦକ ବଣ୍ଡା ସୁରେନ୍ଦ୍ର ରେଡ୍ଡୀ, ଆନ୍ଧ୍ର କମିଟିର ସାଧାରଣ ସମ୍ପାଦକ ପି.ଭି. ସୁନ୍ଦର ରାମାରାଜୁ, ଝାଡ଼ଖଣ୍ଡ ରାଜ୍ୟ ସାଧାରଣ ସମ୍ପାଦକ ଅରୁଣ କୁମାର ମଣ୍ଡଳଙ୍କ ସମେତ ଅନ୍ୟାନ୍ୟ ବହୁ ନେତୃତ୍ୱ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ସାରା ଓଡ଼ିଶାରୁ ୩୦୦ରୁ ଉର୍ଦ୍ଧ୍ୱ ଫରୱାର୍ଡ଼ ବ୍ଲକର ନେତୃତ୍ୱକାରୀ ସାଥିମାନେ ଯୋଗ ଦେଇ ବିଭିନ୍ନ ରାଜନୈତିକ, ସାମାଜିକ ସମସ୍ୟା ଉପରେ ଆଲୋଚନା କରିବା ସହ ସେଗୁଡ଼ିକର ସମାଧାନ ଦିଗରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଆଗାମୀ ଦିନର ଆନ୍ଦୋଳନ ଖସଡ଼ା ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଫରୱାର୍ଡ଼ ବ୍ଲକ ଓଡ଼ିଶା ରାଜ୍ୟ କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.