ଦାନଗଦି,୦୬/୦୨(ପିପିଟି): ଆଜି ସ୍ଥାନୀୟ ଦାନଗଦି ବ୍ଳକ୍ ମାନତିରା ପଞ୍ଚାୟତର କେନ୍ଦୁଢିପ ଗ୍ରାମରେ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡରୁ ମୁକ୍ତ ଏକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲାର ଜୟନ୍ତ ବେହେରା କେନ୍ଦୁଢିପର ବରିଷ୍ଠ ଶିକ୍ଷକ ନାରାୟଣ ଚନ୍ଦ୍ର ପରିଡାଙ୍କ ଏକମାତ୍ର ଝିଅ ସଂଘମିତ୍ରା ପରିଡାଙ୍କ ଅତ୍ୟନ୍ତ ନିରାଡମ୍ଵର ଭାବେ ଭାର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଭୟ ବରକନ୍ୟା ଭାରତର ସମ୍ଵିଧାନକୁ ସାକ୍ଷୀ ରଖି ପରସ୍ପରକୁ ବରଣମାଳା ଦେଇ ଜୀବନସାଥୀ ହେବାକୁ ଶପଥ ନେଇଥିଲେ ।ଏହି ଅବସରରେ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ “ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ପ୍ରଫେସର ଧନେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ବୁଦ୍ଧିଜୀବୀ ପ୍ରଫେସର ବିଜୟ କୁମାର ବହିଦାର ନିଜର ବକ୍ତବ୍ୟ ରଖି ଜୟନ୍ତ ଓ ସଂଘମିତ୍ରାଙ୍କ ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡ ବିହୀନ ବିବାହକୁ ଏକ ଆଦର୍ଶ ବିବାହ ବୋଲି କହିବା ସହିତ ଯୁବପିଢି ଏହାକୁ ଅନୁକରଣ କରିବା ଦରକାର ବୋଲି କହିଥିଲେ । ଯୁବ ସମାଜ ପ୍ରଚଳିତ ଖର୍ଚ୍ଚ ବହୁଳ ବିବାହ ବଦଳରେ ଏଭଳି ଆଦର୍ଶ ବିବାହ କରିବାକୁ ଆହ୍ୱାନ ଦେଇଥିଲେ । ସଂଗଠନର ସାଧାରଣ ସମ୍ପାଦିକା ବାସନ୍ତୀ ଆଚାର୍ଯ୍ୟ ଓ ପ୍ରତିମା ସାହୁ ଉଭୟ ବରକନ୍ୟାଙ୍କୁ ସମ୍ଵିଧାନର ଶପଥ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସ୍ତମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ, କିଶୋର ମିଶ୍ର, ମହମ୍ମଦ ଶୁକ୍ରୁ, ରାକେଶ କାନୁନଗୋ, ଡି ମୋହନ ରାଓ, ସୁନେଜ ପାଣିଗ୍ରାହୀ,ଅଧ୍ୟାପକ ବିକ୍ରମ ନାୟକ, ଜ୍ୟୋତି ପ୍ରକାଶ ବେହେରା, ବାସଭରାଜୁ, ହିମାଚଳ ସେଠି ପ୍ରମୁଖ ଯୋଗ ଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉଭୟ ବରକନ୍ୟାଙ୍କ ପିତାମାତା ଓ ପରିବାର ବର୍ଗ ଏହି ବିବାହରେ ଖୁସି ପ୍ରକାଶ କରିଥିଲେ । ବିବାହ ସମୟରେ ବିଧବା ମହିଳାଙ୍କ ଉପସ୍ଥିତି ଅଶୁଭ ବୋଲି ରହିଥିବା ପ୍ରଚଳିତ ଧାରଣାକୁ ଭାଙ୍ଗି ଗ୍ରାମର ବିଧବା ମହିଳାମାନେ ସଭାମଞ୍ଚକୁ ଯାଇ ନବଦମ୍ପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତି ମାନଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ହେତୁବାଦୀ କର୍ମୀମାନେ ଯୋଗ ଦେଇଥିଲେ ।