ଜମି, ଜଙ୍ଗଲ ଉପରେ ଅଧିକାର ଓ ବେଦାନ୍ତ କମ୍ପାନୀର ପ୍ରଦୂଷଣ ବନ୍ଦ କରିବା ଦାବିରେ ଏଆଇକେଏମଏସ ପକ୍ଷରୁ ପଦଯାତ୍ରା ଓ ବିକ୍ଷୋଭ ।

0 457

ଲାଞ୍ଜିଗଡ,୩୦/୧୧(ପିପିଟି): ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଚାଷଜମି ଓ ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ ଜମିରେ ଚାଷ ବାସ କରି ଆସୁଥିବା ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ବେଦାନ୍ତ ଆଲୁମିନା କାରଖାନା ଦ୍ବାରା ହେଉଥିବା ପ୍ରଦୂଷଣକୁ ରୋକିବା ତଥା ବ୍ଳକର ବିଭିନ୍ନ ଗାଁରେ ଶିକ୍ଷା ଓ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଆଜି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ଏକ ପଦଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଲାଞ୍ଜିଗଡ ବ୍ଳକର ଲାଞ୍ଜିଗଡ ଠାରୁ ବ୍ଳକ୍ ସଦର ମହକୁମା ବିଶ୍ଵନାଥପୁର ପର୍ଯ୍ୟନ୍ତ ଆୟୋଜିତ ଏହି ୧୬ କିମି ପଦଯାତ୍ରାରେ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଲାଞ୍ଜିଗଡ ବ୍ଳକ୍ କମିଟି ଆବାହକ ପୂର୍ଣ୍ଣ ମାଝି, ସହ ଆବାହକ ପୁରନ୍ଦର ଦଣ୍ଡସେନା, ବୟୋଜ୍ୟେଷ୍ଠ ନେତା ନିରଞ୍ଜନ ଆଚାର୍ଯ୍ୟ, ଯୁବନେତା ପଦ୍ମନାଭ ଚୌଧୁରୀ, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ, ଆଦିବାସୀ ନେତା ବନମାଳୀ ମାଝୀ, ଅମ୍ବୁ ନାୟକ, ଏଆଇକେଏମଏସ୍ ରାଜ୍ୟ କମିଟି ସଭ୍ୟ ସୁବାଷ କୁଲେସିକା, ସାଂସ୍କୃତିକ କର୍ମୀ ଗଣେଶ ଜାକାସିକା, ଦଳିତ ନେତା ରାଜେନ୍ଦ୍ର ନାୟକ, ଶିବରାମ ସୁନା ପ୍ରମୁଖ ଯୋଗ ଦେଇଥିଲେ । ପଦଯାତ୍ରା ବିଶ୍ଵନାଥପୁର ପହଞ୍ଚିବା ପରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।ସଂଗଠନ ପକ୍ଷରୁ ଏକ ସାତ ଜଣିଆ ପ୍ରତିନିଧି ଦଳ ତହସିଲଦାରଙ୍କୁ ଭେଟି ଛଅ ଦଫା ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ତହସିଲଦାର ପ୍ରତିନିଧି ମଣ୍ଡଳ ସହ ଆଲୋଚନା କରି ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ସଭାରେ ସାଂସ୍କୃତିକ କର୍ମୀ ଗଣେଶ ଜାକାସିକା ବିପ୍ଲବୀ ସଙ୍ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.