ମାଲକାନଗିରି,୩୦/୦୧(ପିପିଟି): ପଡିଆ ବ୍ଲକ ଅନ୍ତର୍ଗତ ତେଗେଡାପଲ୍ଲୀ ଗ୍ରାମରେ ଦୀର୍ଘ ଦିନ ହେଲା ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିଲା । ୨୦୨୦/୨୧ ମସିହାରେ ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନାରେ ଏକ ବନ ସୁରକ୍ଷା ସମିତି ଗଠନ କରାଯାଇଥିଲା । ଆମ ଜଙ୍ଗଲ ଯୋଜନାର ମୂଳ ଲକ୍ଷ୍ୟ ଥିଲା ଉଜୁଡି ଯାଇଥିବା ଜଙ୍ଗଲର ସଂରକ୍ଷଣ ଗ୍ରାମର ପ୍ରାକୃତିକ ପରିବେଶ ଫେରାଇ ଆଣିବା ପାଇଁ ନୂତନ ବୃକ୍ଷ ରୋପଣ, ଅବାଧ ବନ୍ୟ ଜନ୍ତୁ ଶିକାର ବନ୍ଦ କରିବା ଏବଂ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଭଳି ଜନହିତକର କାର୍ଯ୍ଯ ଆରମ୍ଭ କରିବା । ପରବର୍ତ୍ତୀ ସମୟରେ ବନପାଳ, ବନରକ୍ଷୀ ଏନଜିଓ କର୍ମୀମାନେ ସମ୍ମିଳିତ ଭାବେ ଗ୍ରାମରେ ଏକ ବୈଠକ କରିବା ସହ ଗ୍ରାମର ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ପାଇଁ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଜାଣିବାକୁ ପାଇଲେ ଯେ ଶିଶୁମାନଙ୍କ ପାଇଁ ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ବହୁତ ପୁରୁଣା ଏବଂ ଭାଙ୍ଗିରୁଜି ଯାଇଛି I ବାରମ୍ବାର ଅନୁରୋଧ କରିବା ପରେ ମଧ୍ଯ ବ୍ଲକ ପ୍ରଶାସନ ପକ୍ଷରୁ ଏକ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିନଥିବା ବେଳେ ଦୀର୍ଘ ୧୦ ବର୍ଷ ସମୟ ବିତିଯାଇଥିଲେ ମଧ୍ୟ ଏହା ନିର୍ମାଣ ଅଧା ପନ୍ତିରିଆ ଭାବେ ପଡି ରହିଥିଲା । ଏହା ଜାଣିବା ପରେ ଆମ ଜଙ୍ଗଲ ଯୋଜନା ଟିମ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଯୋଗାଯୋଗ କରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ବିଡ଼ିଓଙ୍କ ନିକଟରେ ଦାବି ରଖିଥିଲେ ଯାହା ଫଳରେ ନୂତନ ଭାବେ କାର୍ଯ୍ୟ ଆରମ୍ଭ ସହ ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ପଡିଥିଲା କିନ୍ତୁ କରୋନାର କରାଳ ଛାୟା ଯୋଗୁଁ ପୁଣି କାମଟି ଦୀର୍ଘ ଛଅମାସ ଅଟକି ରହିଥିଲା । ଏହା ଜାଣିବା ପରେ ପୁନର୍ବାର ବନ୍ଦ ହୋଇଥିବା କାର୍ଯ୍ୟକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କାମ ପୁନର୍ବାର ଆରମ୍ଭ ହୋଇଥିଲା । ଆଜି ଆମ ଜଙ୍ଗଲ ଯୋଜନା କର୍ମୀଙ୍କୁ ଗ୍ରାମବାସୀ ଡକାଇବା ସହ ଯୋଜନା ର ସହଭାଗୀ ସୃଷ୍ଟି ଏନଜିଓ ର କର୍ମକର୍ତ୍ତାଙ୍କୁ ନୂତନ ଅଙ୍ଗନୱାଡ଼ି କେନ୍ଦ୍ରର କାର୍ଯ୍ୟ ସମ୍ପୂର୍ଣ ହେବା ପରେ ଗ୍ରାମବାସୀମାନେ ଧନ୍ୟବାଦ ଜଣାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)