ଘୁମୁସର ବିପ୍ଳବର ୨୬୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ;ଘୁମୁସରରେ ହିଁ ଶୁଦ୍ଧ ଓଡ଼ିଆ ଭାଷା ପ୍ରଚଳିତ:ମନ୍ମଥ ଶତପଥୀ ।

0 251

ଭଞ୍ଜନଗର,୩୧/୧୨(ପିପିଟି): ଘୁମୁସର ମାଟି ହେଉଛି ବୀର ପ୍ରସବିନୀ । ଏ ମାଟିରେ ସ୍ୱାଧୀନତା ସଂଗ୍ରାମର ବହୁ ବର୍ଷ ପୂର୍ବରୁ ବୀର ଚକରା ବିଷୋୟୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଘୁମୁସର ବିପ୍ଳବ । ୧୭୫୩ ଖ୍ରୀଷ୍ଟାବ୍ଦରୁ ୧୮୬୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିବା ଏହି ବିପ୍ଳବକୁ ୨୬୮ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଜି ଓଡ଼ିଶା ଅର୍ଥ ନୈତିକ ସ୍ଵାଧିନତା ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗର ଆଇନଜୀବୀ ପାଠାଗାର ପରିସରରେ ଘୁମୁସର ବିପ୍ଳବର ୨୬୮ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । ଓଡ଼ିଶା ଅର୍ଥନୈତିକ ସ୍ୱାଧୀନତା ମଞ୍ଚ ସଭାପତି ଗୋପାଳକୃଷ୍ଣ ବିଷୋୟୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମହାନ ବିପ୍ଳବୀ ଶହୀଦମାନଙ୍କ ଅମର ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ” ଘୁମୁସର ବିପ୍ଳବ” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଉପସଭାପତି ମନ୍ମଥ କୁମାର ଶତପଥୀ ଉଦ୍‌ଘାଟନ କରିବା ସହ ଆସନ୍ତା ବର୍ଷ ଚକରା ବିଷୋୟୀଙ୍କ ୨୦୦ ତମ ଜୟନ୍ତୀ ଉତ୍ସବକୁ ସମ୍ମାନର ସହ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଘୁମୁସର ବାସୀ ହିଁ ଶୁଦ୍ଧ ଓଡ଼ିଆ ଭାଷାର ବ୍ୟବହାର କରିବା ସହିତ ଘୁମୁସର ଉପରେ କୌଣସି ପଡ଼ୋଶୀ ରାଜ୍ଯ ଭାଷାର ପ୍ରଭାବ ପଡିନାହିଁ ବୋଲି ଉଦ୍‌ଘାଟକ ଶ୍ରୀ ଶତପଥୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ଡକ୍ଟର ବ୍ରଜକିଶୋର ପାଢି ଯୋଗଦେଇ କୁଲାଡ଼ର ଜଗନ୍ନାଥ ମନ୍ଦିର ଇଂରେଜଙ୍କ ସହ ଘୁମୁସର ବାସୀ ଲଢ଼େଇ କରିବାର ପ୍ରମାଣ ଦେଇଥାଏ ବୋଲି ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ଵକ୍ତା ଭାବେ ଘୁମୁସର ଗବେଷଣା ପରିଷଦ ସଭାପତି ଡକ୍ଟର ସନ୍ତୋଷ କୁମାର ଆପଟ,ଵକ୍ତା ଭାବେ ଗବେଷକ ସୁରେନ୍ଦ୍ର କୁମାର ଶତପଥୀ ଯୋଗ ଦେଇ ଘୁମୁସରର ବୀର ଆତ୍ମସମର୍ପଣ କରିବା ଶିଖିନଥିଲେ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବାଲିପଦର କଲେଜ ତଥା ଘୁମୁସର ସ୍ଵରର ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର,ବରିଷ୍ଠ ଆଇନଜୀବି ତଥା ଭଞ୍ଜନଗର ଆଇନଜୀବୀ ସଂଘ ସଭାପତି ସନ୍ତୋଷ କୁମାର ନାୟକ, ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଗୌରିଶଙ୍କର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘୁମୁସର ବିଶିଷ୍ଟ ବ୍ୟକ୍ତିତ୍ୱ କଵି ପ୍ରଶାନ୍ତ କୁମାର ମହାନ୍ତି, କଣ୍ଠଶିଳ୍ପୀ ଅଶୋକ କୁମାର ସ୍ଵାଇଁ,ଯନ୍ତ୍ର ସଙ୍ଗୀତଜ୍ଞ ଲକ୍ଷ୍ମଣ ସାହୁ, ବିଶିଷ୍ଟ ସମାଜସେବୀ ଖଲୀ ପରିଡ଼ା, ସଙ୍ଗଠକ କୁମାର କାର୍ତ୍ତିକେଶ୍ବର ପ୍ରଧାନ, ସାହିତ୍ୟିକ ଅଭିମନ୍ୟୁ ଦଲାଇ ଏବଂ ଵରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ନାୟକଙ୍କୁ ଉଦଘାଟକ ଶ୍ରୀ ଶତପଥୀ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସଭାପତି ଗୋପାଳ କୃଷ୍ଣ ବିଷୋୟୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ସମ୍ପାଦକ ଗୋପାଳ ଚନ୍ଦ୍ର ଲେଙ୍କା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶିକ୍ଷକ ଶିଶିର କୁମାର ସ୍ୱାଇଁ ଅତିଥି ସ୍ୱାଗତ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି କୁମାର କାର୍ତ୍ତିକେଶ୍ୱର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଆଶୋକ ସ୍ୱାଇଁ ଏବଂ ସହଯୋଗୀ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସାହିତ୍ୟିକ, ସମାଜସେବୀ, ଆଇନୀଜୀବୀ, ଗବେଷକ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.