ଘର ଦୁଆରେ ପୁଷ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ ।

0 220

ମାଲକାନଗିରି,୦୭/୦୧(ପିପିଟି):ଆଜି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ବାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ଯନ୍ତାପାଇ ଗ୍ରାମରେ ଘର ଦୁଆରେ ପୁଷ୍ଟି କାର୍ଯ୍ୟକ୍ରମକୁ ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ବିନା ଖର୍ଚ୍ଚରେ ଘର ଦୁଆର ମୁଁହରେ ପୁଷ୍ଟିକର ପନିପରିବା ଉପଲବ୍ଧ ହେବ। ଏହାଦ୍ବାରା ମା ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ତଥା ରକ୍ତହୀନତା ନିଶ୍ଚିତ ଭାବେ ଅନେକ ପରିମାଣରେ ହ୍ରାସ ପାଇବ। ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ଅତି ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଉପସ୍ଥାପନ କରି କହିଥିଲେ ଯେ ଘର ଦୁଆର ପୁଷ୍ଟି କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ କଦଳୀ, ଲେମ୍ବୁ, ସଜନା ଛୁଇଁ, ଅମୃତଭଣ୍ଡା ଓ ଦେଶିଆଳୁ ଚାରା ସହିତ ବାଇଗଣ, ଭେଣ୍ଡି, କଲରା, ଟମାଟୋ, କଞ୍ଚାଲଙ୍କା ଓ ପାଳଙ୍ଗ ଶାଗ ଆଦି ପରିବା ମିନି କିଟ୍ ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ବାରା ୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଅପପୁଷ୍ଟି ତଥା ରକ୍ତହୀନତାର ଶିକାର ହୋଇଥିବା ପିଲାମାନେ ତଥା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବରଦାନ ହେବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ ଯୋଗ ଦେଇ କହିଥିଲେ ଯେ ଅପପୁଷ୍ଟି ଓ ପୁଷ୍ଟିହୀନତା ସମସ୍ୟାର ସ୍ଥାୟୀ ଓ ନିରନ୍ତର ସମାଧାନ ପାଇଁ ଏହା ଏକ ସଫଳ ଯୋଜନା। ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ପ୍ରାଥମିକତା ଭିତ୍ତିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ସାଂସଦ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣଚନ୍ଦ୍ର ବାକା ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ୧୦ ଜଣ ହିତାଧିକାରୀଙ୍କୁ ଚାରା ବଣ୍ଟନ କରାଯାଇଥିଲା। ଚାରି ଜଣ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମୂଲ୍ୟଯୁକ୍ତ ବଜାର ସୃଷ୍ଟି କରିବା ପାଇଁ ବିହନ ନିମନ୍ତେ ଆର୍ଥିକ ପ୍ରୋତ୍ସହନ ରାଶି ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ବିଶାଲ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ ଡ଼ଃ ରୋହିତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ବ୍ଲକ ଅଧ୍ୟକ୍ଷା ରଜେଶ୍ୱରି ଖିଲ, ନିର୍ଦ୍ଦେଶକ କୃଷି ଓ ଖାଦ୍ୟ ଉତ୍ପାଦନ ପ୍ରେମଚନ୍ଦ୍ର ଚୌଧୁରୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନନ୍ଦଗିରି ରାମକୃଷ୍ଣ ହୟଗ୍ରୀବ ଉପସ୍ଥିତ ଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.