ଗୋବରବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ ମାନଙ୍କ ଗଣଧାରଣା ।

0 3,244

ଦିଗପହଣ୍ଡି,୦୮/୧୧(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ପଞ୍ଚାୟତ ଅନ୍ତର୍ଗତ ଗୋବରବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତ୍ୟାହାର ଦାବିରେ ସୋମବାର ପୂର୍ବାହ୍ନରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ଫାଟକରେ ଗଣଧାରଣା ଦିଆଯାଇଥିଲା । ଖବର ଅନୁସାରେ ଉକ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନାବାଳକ ଛାତ୍ରଛାତ୍ରୀ ଅଧ୍ୟୟନ ନିମନ୍ତେ ଏହି ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରି ଆସୁଛନ୍ତି । ତେବେ ବର୍ତ୍ତମାନ ବିଦ୍ୟାଳୟରେ ୨୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ରାଜ୍ୟ ସରକାର ୨୦୧୮ ମସିହାରେ ଜିଲ୍ଲାର ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ବିଦ୍ୟାଳୟରେ କମ୍ ଛାତ୍ରଛାତ୍ରୀ ଥିବା ଯୋଗୁଁ ୧.୫ କି.ମି. ଦୁରରେ ଥିବା ଟିକରପଡା ୟୁ଼ପି ସ୍କୁଲ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉଭୟ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ରହିଥିବା ବେଳେ ରାସ୍ତା ପାର୍ଶ୍ବରେ ଏକ ବୃହତ କେନାଲ ମଧ୍ୟ ରହିଛି ଏହା ଛୋଟ ପିଲାମାନଙ୍କ ଜୀବନ ପ୍ରତି ବିପଦ ହୋଇପାରେ । ଯାହାଫଳରେ ଆଜି ଏହି ପ୍ରାଥମିକ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନକରିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି ତରଫରୁ ଗଣଧାରଣା ଦିଆଯିବା ସହ ମିଶ୍ରଣ ନିଷ୍ପତ୍ତି ବାତିଲ କରିବା ସହ ତୁରନ୍ତ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବା ନେଇଁ ଦାବି କରିଥିଲେ । ଅଲ ଇଣ୍ଡିଆ ଡି.ଏସ୍‌.ଓ ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର , ଜିଲ୍ଲା କମିଟି ସଭ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀ ଦିଗପହଣ୍ଡି ପୁଞ୍ଜିକୟାଁ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ବିଡ଼ିଓ ହଳଧର ଶବର , ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ଏ.ବିଇ.ଓ ବାଳା ମାଝୀ ଏ ସମ୍ପର୍କରେ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ଜିଲ୍ଲାପାଳ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯିବା ସହ ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀ ଧାରଣାରୁ ହଟିଥିବା ଜଣାପଡିଛି । ଏହି ଧାରଣା ସମୟରେ ଜିତୁ ପାଇକ, ରମେଶ ଦଳେଇ , ଅନନ୍ତ ପାଇକ, ରଘୁ ବେହେରା , ପଞ୍ଚୁ ପାଇକ , ସଂଜୟ ଦଳେଇ , ବାବୁ ଦଳେଇ , କାହ୍ନୁ ନାୟକ , ସନାତନ ପାଇକ , ନିରାକାର ପାଇକ , ରାମଚନ୍ଦ୍ର ପାଇକ , ଗଣେଶ ଦଳେଇ , ସୁମିତ୍ରା ଦଳେଇ , ସୁଜାତା ନାୟକ, ଅମୁଲ୍ଯ ଦଳେଇ ଆଦି ଶତାଧିକ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.