ମାଲକାନଗିରି,ତା:୨୭/୦୯(ପିପିଟି): ଗୁଲାବ ବାତ୍ଯା ପ୍ରଭାବରେ ଗତ କାଲି ସନ୍ଧ୍ଯା ୫ଟା ଠାରୁ ଅଦ୍ଯାବଧି ଝଡ ବର୍ଷା ମାଲକାନଗିରି ଜିଲ୍ଲାରେ ଲାଗି ରହିଛି । ରାତ୍ର ୩ ଘଟିକା ସମୟରୁ ସକାଳ ୫ ଘଟିକା ସମୟରେ ପ୍ରବଳ ବେଗରେ ପବନ ପ୍ରବାହିତ ସାଙ୍ଗକୁ ମୂଶଳ ଧାରାରେ ବର୍ଷା ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ବଡ ବଡ ବୃକ୍ଷ ଉପୁଡି ପଡି ଧରାଶାୟୀ ହୋଇ ପଡିଛି । ଫଳରେ ବିଦ୍ଯୁତ ସରବରାହ ସଂପୂର୍ଣ୍ଣ ବନ୍ଦ ରହିଛି । ପବନ ବହିବା ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହକୁମାର ସାପ୍ତାହିକ ହାଟ, ଏସପିଙ୍କ ବାସ ଭବନ,ଟେକଗୁଡା ସାହି, ଏମଭି-୮୪,ମହୁପଦର ଆଦି ଅଞ୍ଚଳରେ ବଡ ବଡ ଗଛ ଉପୁଡି ପଥ ଅବରୋଧ କରିବା ସହ ବିଦ୍ଯୁତ ତାର ଉପରେ ପଡି ଖୁଣ୍ଟ ଭାଙ୍ଗି ପଡିଛୁି । ବିଦ୍ଯୁତ ତାର ଛିଣ୍ଡି ଯିବାରୁ ୧୮ ଘଣ୍ଟା ହେଲା ବିଦ୍ଯୁତ ସମଗ୍ର ଜିଲ୍ଲାରେ ବିଛିନ୍ନ ରହିଛି !ଓଡ୍ରାଫ ଦଳ ଗଛ କାଟି ପଥ ପରିସ୍କାର କରୁଥିବା ଜଣା ପଡିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୩୭୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ବ୍ଲକରେ ୪୪.୧ ମିମି,ମାଥିଲି ବ୍ଲକରେ ୩୪.୦ମିମି,ଖଇରପୁଟ ବ୍ଲକରେ ୫୭.୦ ମିମି,ଚିତ୍ରକୋଣ୍ଡା ବ୍ଲକରେ ୧୦୭.୦ ମିମି,କୋରୁକୋଣ୍ଡା ବ୍ଲକରେ ୫୩.୦ ମିମି,କାଲିମେଳା ବ୍ଲକରେ ୩୬.୦ ମିମି ଓପଡିଆ ବ୍ଲକରେ ୪୧ ମିମି ବର୍ଷା ଆଜି ରେକର୍ଡ କରା ଯାଇଛି । ବର୍ତ୍ତମାନ ବାତ୍ଯା ମାଲକାନଗିରି ଆକାଶ ପଥ ଦେଇ ଛତିଶଗଡ ମୁହାଁ ହୋଇଥିବା ପରିଲିକ୍ଷିତ ହୋଇଛି । ବାତ୍ଯା ଗୋଲାବର ପ୍ରଭାବରେ ଜନ ଜୀବନ ହାନି ନହେବା ପାଇଁ ଜିଲ୍ଲା ପ୍ରଶାସନ ଗତ କାଲି ଠାରୁ ମାଟି ଘରେ ରହୁଥିବା ପରିବାର ତଥା ନଦୀ ଅବବାହିକାରେ ରହୁଥିବା ତଳିଆ ଅଞ୍ଚଳର ଲୋକମାନଙ୍କୁ ବିଭିନ୍ନ ବାତ୍ଯା ଆଶ୍ରୟ ସ୍ଥଳରେ ସୁରକ୍ଷା ପ୍ରଦାନ କରିଛି ।ସେମାନଙ୍କୁ ଗତ କାଲି ଠାରୁ ରନ୍ଧା ଖାଦ୍ଯର ମଧ୍ଯ ବ୍ଯବସ୍ଥା କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post
Next Post