ରାୟଗଡା, ତା-୧୯/୦୯(ପିପିଟି); ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ବିଷମକଟକ ବ୍ଲକ ଚାଟିକୋଣା ସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ବିକାଶମୂଳକ କାମକୁ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ସୋନାଲ ଜେନା ଶୁକ୍ରବାର ଦିନ ପରିଦର୍ଶନ କରିଥିଲେ। ଏହି ବ୍ଲକର କୁରଲୀ ପଞ୍ଚାୟତ ଅଧିନ କୁରଲୀ ଓ ଖମ୍ବେସି ଠାରେ ସଂସ୍ଥା ତରଫରୁ ଚାଲିଥିବା ରକ୍ଷାକାନ୍ଥ,କଂକ୍ରିଟ ରାସ୍ତା, ପାନୀୟ ଜଳଯୋଗାଣ ପ୍ରକଳ୍ପ,ସପୁରୀ ପ୍ରକ୍ରିୟାକରଣ କେନ୍ଦ୍ର,କୁକୁଡ଼ାପାଳନ କେନ୍ଦ୍ର,ମହିଳାଙ୍କ ଦ୍ୱାରା ପରିଚାଳିତ ହଳଦୀ ୟୁନିଟ କେନ୍ଦ୍ର ବୁଲି ଦେଖିଥିଲେ। ଜଣେ ଗଣିତରେ ସ୍ନାତକୋତ୍ତର ଡଙ୍ଗରିଆ ଛାତ୍ରଙ୍କ ସହିତ କଥା ହୋଇଥିଲେ। ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ମୁନିଗୁଡ଼ା ବ୍ଲକ ଶିବପଦର ଗ୍ରା.ପ.ର ସେରେକାପାଡି, କେଶରପାଡି ଗ୍ରାମକୁ ଯାଇ ପୁର୍ବବତ ସବୁ ବିଷୟରେ ଆଲୋଚନା କରିଥିଲେ।ଉପଜିଲ୍ଲାପାଳ ଖମ୍ବେଶୀ ଗ୍ରାମ ପରିଦର୍ଶନରେ ସ୍ବାସ୍ଥ୍ୟକେନ୍ଦ୍ରରେ ଚାବି ପଡିଥିବା ଓ କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ ଦେଖି ବିରକ୍ତି ପ୍ରକାଶ କରି ବିଷମକଟକ ବିଡ଼ିଓଙ୍କୁ କାର୍ଯ୍ୟନୁଷ୍ଠାନ ନିମନ୍ତେ କହିଥିଲେ।ଏଥି ସହିତ ଉପଜିଲ୍ଲାପାଳ ବିଷମକଟକ ବ୍ଲକ ମୁନିଗୁଡ଼ା ବ୍ଲକ, ଡିକେଡ଼ିଏ ମଧ୍ୟ ପରିଦର୍ଶନ କରିଥିଲେ। ଉପଜିଲ୍ଲାପାଳ ସୋନାଲ ଜେନାଙ୍କ ସହ ମୁନିଗୁଡ଼ା ବିଡ଼ିଓ ଦିଲୀପ ବେହେରା,ତହସିଲଦାର ଦେବାଶିଷ ଗୌଡ଼,ବିଷମକଟକ ବିଡ଼ିଓ ଆଲବର୍ଟ ଲାକ୍ରା,ତହସିଲଦାର ଶୁଭେନ୍ଦୁ, ଡିକେଡିଏ ସ୍ୱତନ୍ତ୍ର ଅଧିକାରୀ ମଦନମୋହନ ଦଳ ବେହେରା ଓ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢି ଉପସ୍ଥିତ ରହିଥିଲେ। (ରିପୋର୍ଟ – ନବୀନ ନାୟକ ବେହେରା ।)