ଗାଙ୍ଗପୁରରେ ଐତିହାସିକ ନଳ ଯାତ୍ରା ।

0 290

ବେଲଗୁଣ୍ଠା,୧୪/୦୯(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ଗାଙ୍ଗପୁରରେ ଐତିହାସିକ ନଳଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ପରମ୍ପରା ମୁତାବକ ଜଙ୍ଗଲରୁ ୧୨ ଫୁଟ ଉଚ୍ଚତାର ତିନିଗୋଟି ବାଉଁଶ ସହିତ ଗ୍ରାମର ଦେବ ଗୌଡ଼ଙ୍କ ଘରୁ ଦେବୀଙ୍କୁ ଆବାହନ କରାଯାଇଥିଲା । ଜଙ୍ଗଲରୁ ଅଣାଯାଇଥିବା ତିନିଗୋଟି ବାଉଁଶକୁ ରତ୍ନେଇ , କନ୍ଧୁଣୀ ଦେବୀଙ୍କ ପ୍ରତିନିଧି ରୂପେ ସଜାଇ ହୋମ ଅନୁଷ୍ଠାନ କରାଯାଇଥିଲା । ତିନି ଦେବୀଙ୍କୁ ପୂର୍ବରୁ ଲଟେରୀ ମାଧ୍ୟମରେ ମନୋନୀତ ହୋଇଥିବା ଗ୍ରାମର ଭାସ୍କର ସ୍ଵାଇଁ, ନରେଶ ନାଇକ ଏବଂ ବୋରି ଗ୍ରାମର ଅମୂଲ୍ୟ ବିଶ୍ୱାଳ ଧାରଣ କରି ଜଙ୍ଗଲରେ ଥିବା ଦେବୀ ପୀଠ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ବିଧିମୁତାବକ ପୂଜା ସରିବା ପରେ ତିନି ଦେବୀ ଗ୍ରାମକୁ ଫେରି ପ୍ରତି ଘର ଆଗରେ ଭୋଗ ଗ୍ରହଣ କରିଥିଲେ । ଏହା ଗ୍ରାମର ଏକ କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ଏହି ପର୍ବ ନିକଟସ୍ଥ ନିମିନା,ବୋରି ଏବଂ ପାଲକଷଣ୍ଢା ଗ୍ରାମରେ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପର୍ବରେ ଗ୍ରାମର କୃଷି, ପଶୁସମ୍ପଦ ଏବଂ ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥାଏ । ପ୍ରତିବର୍ଷ ଗାଙ୍ଗପୁରରେ ଏହି ପର୍ବରେ ହଜାରରୁ ଉର୍ଦ୍ଧ୍ୱ ଲୋକ ଏକତ୍ରିତ ହେଉଥିବା ବେଳେ ବର୍ତ୍ତମାନ ଦୂଇ ବର୍ଷ ଧରି କରୋନା କଟକଣା ହେତୁ ଅଳ୍ପ କିଛି ମୁରବୀ ଲୋକ ଏବଂ ପୂଜକଙ୍କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ଆଜିର କାର୍ଯ୍ୟକ୍ରମରେ ପୁରୋହିତଙ୍କ ସମେତ ଗ୍ରାମ୍ୟ ପରିଚାଳନା କମିଟି ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.