ମାଲକାନଗିରି,୦୯/୦୯(ପିପିଟି): ଗତ କାଲି ଗଣ ମାଧ୍ଯମରେ “ତହସଲ” କାର୍ଯ୍ଯାଳୟ ନା ତହସିଲ କାର୍ଯ୍ଯାଳୟ ମାଲକାନଗିରି ଶୀର୍ଷକ ସମ୍ବାଦଟି ପ୍ରକାଶ ପାଇଲା ପରେ ନାମ ଫଳକଟି ଆଜି ସଂଶୋଧିତ କରାଯାଇଛି । ଫଳରେ ମାଲକାନଗିରି ତହସିଲଦାର ଡଃ ଗୁଣନିଧି ନାୟକଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ପ୍ରକାଶ ଥାଉ କି ଗତ କାଲି ବିଭିନ୍ନ ଗଣ ମାଧ୍ଯମରେ” ତହସଲ” କାର୍ଯ୍ଯାଳୟ ନା ତହସିଲ କାର୍ଯ୍ଯଳୟ ମାଲକାନଗିରି ଶୀର୍ଷକ ସମ୍ବାଦଟି ଏହି ପରି ପରିବେଷଣ କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଓଡିଆ ଭାଷା କଦର୍ଥ କଦାକାର ଆଡକୁ ଗତି କରୁଛି । ବେସରକାରୀ ଦୋକାନ ଗୁଡିକରେ ଯେଉଁ ଫଳକ ଲାଗାଯାଉଛି ସେହି ଫଳକଗୁଡିକରେ ଯାହା କିଛି ଓଡିଆ ଶବ୍ଦରେ ଲେଖାଯାଉଛି,ସେଥିରେ ଅନେକ ତୃଟି ପରିଲିକ୍ଷିତ ହେଉଛି !ଯାହାକି ଚିନ୍ତାଜନକ । ଯଦି ସରକାରୀ ସ୍ତରରେ ଓଡିଆ ଭାଷାକୁ ବିକୃତ ଭାବେ ଲେଖାଯିବ ସବୁ ଠାରୁ ଲଜ୍ଜାଜନକ ଘଟଣା କହିଲେ ଅତ୍ଯୁକ୍ତି ହେବ ନାହିଁ । ଉଦାହରଣ ସ୍ବରୂପ ମାଲକାନଗିରି ସଦର ମହକୁମାରେ ଥିବା ମାଲକାନଗିରି ତହସିଲ କାର୍ଯ୍ଯାଳୟର ସମ୍ମୁଖ ନାମ ଫଳକକୁ ଟିକେ ଦୃଷ୍ଟିଗୋଚର କଲେ ଜଣା ପଡୁଛି ଯେ ତହସିଲ ବଦଳରେ “ତହସଲ” ଲେଖା ହୋଇଛି; ହେଲେ ସଂଶୋଧନ କରିବାକୁ ମାଲକାନଗିରି ତହସିଲଦାରଙ୍କ ବୋଧେ ସମୟ ନାହିଁ । ତେଣୁ ଏହି ଅସଂଶୋଧିତ ଫଳକଟି ମାସ ମାସ ବ୍ଯାପି ଜନତାଙ୍କ ମନକୁ ବିଭ୍ରାନ୍ତ କରୁଛି । ଏଣୁ “ତହସଲ” ବଦଳରେ ତହସିଲ ଲେଖି ତୁରନ୍ତ ସଂଶୋଧନ କରାଗଲେ ଓଡିଆ ଭାଷାର ସମ୍ମାନ ଅକ୍ଷୁର୍ଣ୍ଣ ରହନ୍ତା ବୋଲି ଆଶା ପ୍ରକଟ କରାଯାଉଛି । ପ୍ରକାଶ ଥାଉ କି ମାଲକାନଗିରି ତାଲୁକଟି ୧୯୪୨ ମସିହାରେ ଅର୍ଥାତ ଇଂରେଜମାନଙ୍କ ଶାସନ କାଳରେ ପ୍ରତିଷ୍ଠା ଲାଭ କରିଥିଲା ।ଐତିହାସିକ ଦୃଷ୍ଟି କୋଣରୁ ବିଚାର କରାଗଲେ ଏହି ତାଲୁକଟି ବହୁଗୁରୁତ୍ବ ବହନ କରେ । ଇଂରେଜ ଶାସନ କାଳର କୀର୍ତ୍ତିରାଜି ଭାବେ ବିରାଜମାନ ଏହି ମାଲକାନଗିରି ତହସିଲ ସବୁ ବୁଦ୍ଧିଜୀବୀମାନଙ୍କ ଭାବାବେଗକୁ ଆକର୍ଷିତ କରିଥାଏ । ଯଦିଓ ଏହା ଏକ ତହସିଲ ଭାବେ କାର୍ଯ୍ଯ କରିଆସୁଛି ତାହା ନୁହଁ, ଏହା ଏକ ପ୍ରାଚୀନ ଐତିହାସିକ ସ୍ମାରକୀ ଭାବେ ଦଣ୍ଡାୟମାନ ଏଥିରେ ଦ୍ବିମତ ନାହିଁ । ତେବେ ସମ୍ବାଦ ପ୍ରକାଶ ପାଇବା କ୍ଷଣି ମାଲକାନଗିରି ତହସିଲଦାର ଡଃ ଗୁଣନିଧି ନାୟକ ଗୁରୁତର ସହ ଚିନ୍ତା କରି ନାମ ଫଳକଟି ଆଜି ସଂଶୋଧିତ କରିଥିବାରୁ ତାଙ୍କୁ ସାଧାରଣରେ ଧନ୍ଯବାଦ ଜ୍ଞାପନ କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)