ବ୍ରହ୍ମପୁର, ୨୮/୦୧(ପିପିଟି):ଚଳିତ ପଞ୍ଚାୟତ ନିର୍ବାଚନ ଶାସକ ଦଳ ବିଜେଡି ମଜବୁତ ସ୍ଥିତିରେ ରହିଛି। ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଜିଲ୍ଲାପରିଷଦ ଆସନରେ ବିଜେଡି ଓ ବିଜେପି ମଧ୍ଯରେ ସିଧାସଳଖ ଲଢେଇ ହେବ। କିଛିଟା ସ୍ଥାନରେ କଂଗ୍ରେସ ଲଢେଇ କରିପାରେ। କମ୍ଯୁନିଷ୍ଟ ଓ ଅନ୍ଯ ଦଳ ମାନେ ପ୍ରାର୍ଥୀ ଦେଇଛନ୍ତି କିନ୍ତୁ ନିର୍ଣ୍ଣାୟକ ଭୂମିକାରେ ନାହାଁନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ଆସନ ସଂଖ୍ୟା ୬୯ ।ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ପାଇଁ ୨୫୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବିଏସପି ୫,ବିଜେପି ୬୯,ସିପିଆଇ ୬, ସିପିଏମ ୩,କଂଗ୍ରେସ ୬୭,ବିଜେଡି ୬୯,ଅନ୍ଯ ୨୪ ଓ ସ୍ବାଧୀନ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଗତ ଜିଲ୍ଲାପରିଷଦ ନିର୍ବାଚନରେ ୬୯ ଆସନ ମଧ୍ଯରୁ ବିଜେଡି ୬୫,ବିଜେପି ୩ ଓ କଂଗ୍ରେସ ୧ ଆସନ ପାଇଥିଲା। ଗତଥର ବିଜେପି ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି ଓ କୁକୁଡାଖଣ୍ଡି ବ୍ଲକରୁ ଗୋଟିଏ ଲେଖାଁଏ ଆସନ ଜିତିଥିଲେ। କଂଗ୍ରେସ କେବଳ କୁକୁଡାଖଣ୍ଡି ବ୍ଲକରୁ ଗୋଟିଏ ଆସନ ଜିତିଥିଲା। ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ବଢିଥିବା ବେଳେ ଜନ ଅସନ୍ତୋଷ ମଧ୍ଯ ରହିଛି। ଗଞ୍ଜାମ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ଯା ଅଧିକ, ବେକାରୀ ସମସ୍ଯା, ଚାଷୀ ସମସ୍ଯା ରହିଛି। ଗଞ୍ଜାମ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଲା ନାହିଁ। ଆସିକା ସୂତାକଳ ପୁନରୁଦ୍ଧାର ହୋଇପାରିଲା ନାହିଁ। ବିଭିନ୍ନ ବ୍ଳକରେ ଶୀତଳଭଣ୍ଡାର ନିର୍ମାଣ ହୋଇପାରି ନାହିଁ। ମହାବିଦ୍ୟାଳୟ ଗୁଡିକରେ ଆବଶ୍ୟକ ଅଧ୍ଯାପକ ନାହାଁନ୍ତି। ବିଦ୍ଯାଳୟ ଗୁଡିକରେ ଜାଲ୍ ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତିର ତଦନ୍ତ ମନ୍ଥର ଗତିରେ ଚାଲିଛି। ଚିଟଫଣ୍ଡ କ୍ଷତିଗ୍ରସ୍ତ ମାନେ ଟଙ୍କା ଫେରସ୍ତ ପାଇବାରେ ଅହେତୁକ ବିଳମ୍ବ। ଡାକ୍ତରଖାନା ଗୁଡିକରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ, ମନରେଗାର ରେ ବ୍ଯାପକ ଦୁର୍ନୀତି ,ଆବସ ଗୃହ ବଣ୍ଟନରେ ଦୁର୍ନୀତି,ଭତ୍ତା ପାଇବାରେ ପ୍ରକୃତ ହିତାଧିକାରୀ ବଞ୍ଚିତ, ଚଷ ଜମିକୁ ସଂପୂର୍ଣ୍ଣ ଜଳସେଚନ ହୋଇ ପାରି ନାହିଁ,ଧନ ମଣ୍ଡିରେ ଅନିୟମିତତା, ବିଦ୍ୟୁତ ଦର ବୃଦ୍ଧି, ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଭଳି ଅନେକ ସମସ୍ଯା ଓ ଦୁର୍ନୀତି ଥିଲେ ମଧ୍ଯ ବିରୋଧିଦଳ ତାକୁ ସଠିକ ଢଙ୍ଗରେ ଉଠାଇବାରେ ବିଫଳ ହୋଇଥିବାରୁ ଶାସକ ଦଳ ସୁବିଧାଜନକ ସ୍ଥିତିରେ ରହିଛି। ଶାସକ ଦଳ ପାଇଁ ପୁଲିସ ଓ ପ୍ରଶାସନ ପରୋକ୍ଷରେ କାର୍ଯ୍ଯ କରୁଥିବାରୁ ବିରୋଧିଦଳ ପାଇଁ ସମସ୍ଯା ସୃଷ୍ଟି ହେଉଛି। ତତ୍ ସହିତ ବିରୋଧିଦଳ ଗୁଡିକରେ ନେତୃତ୍ବ ସଙ୍କଟ ଓ ମତଭେଦ ଯୋଗୁଁ ବିଜେଡିକୁ ଟକ୍କର ଦେବ ଭଳି ଅବସ୍ତାରେ ନାହାଁନ୍ତି। ଚଳିତ ନିର୍ବାଚନରେ ବିଜେଡି ଜିଲ୍ଲାପରିଷଦ ସମସ୍ତ ୬୯ ଆସନ ଅକ୍ତିଆର କରିବା ଲକ୍ଷରେ ଗୋଟି ଚାଳନା ଆରମ୍ଭ କରିଛି। ବିଜେପି ଓ କଂଗ୍ରେସ ପୂର୍ବ ସ୍ଥିତି ଅପେକ୍ଷା ଅଧିକ ଆସନ ହାତେଇବା ପାଇଁ ଉଦ୍ୟମ କରୁଛନ୍ତି। ବିଜେପି ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି, ଭଞ୍ଜନଗର, ବେଲଗୁଣ୍ଠା,ଜଗନ୍ନାଥ ପ୍ରସାଦ, ଛତ୍ରପୁର, ଗଞ୍ଜାମ ଓ ଖଲ୍ଲିକୋଟ ବ୍ଲକରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ବିଜୟ ଉପରେ ଗୁରୁତ୍ବ ଦେଉଛି । ଶାସକ ଦଳ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି, ଜନ କଲ୍ୟାଣ ଯୋଜନାକୁ ଆଧର କରି ଏବଂ ସରକାରୀ କଳକୁ ବ୍ଯବହାର କରି ସଂପୂର୍ଣ୍ଣ ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।