ଭୁବନେଶ୍ବର,୨୫/୧୨; ଜାଡିସାହି ବସ୍ତିର ପୂର୍ବତନ ସଭାପତି ତଥା ବସ୍ତି ସୁରକ୍ଷା ମଞ୍ଚର ପ୍ରଥମ କାର୍ଯ୍ୟକାରୀ କମିଟି ସଦସ୍ୟ ସଂଗ୍ରାମୀ ଖଦାଳ ସେଠୀଙ୍କର ଗତ ୨୨ ଡିସେମ୍ବର ୨୦୨୦ ମଙ୍ଗଳବାର ରାତି ୧୧ ଘଟିକା ସମୟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। ଭୁବନେଶ୍ୱର ୟୁନିଟ ୮ ସ୍ଥିତ ଜାଡିସାହି ବସ୍ତିକୁ ବଳପୂର୍ବକ ଉଚ୍ଛେଦ କରି ସେହି ଜମିକୁ ଦଖଲ କରି ସେହି ଜମି ଉପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମ୍ପ୍ରସାରଣ କରିବାକୁ ବାରମ୍ବାର ଉଦ୍ୟମ ହୋଇଥିଲା। ସେଠାରେ ରହୁଥିବା ଅନେକ ଦଳିତ ମହିଳାଙ୍କୁ ମାଡ଼ମାରି ଦଳିତ ପରିବାରଙ୍କ ଘର ବଳପୂର୍ବକ ଦଖଲ କରାଯାଇଥିଲା। ସମ୍ପୂର୍ଣ୍ଣ ବସ୍ତିକୁ ସେହି ଜମିରୁ ଉଛେଦ କରିବାକୁ ବାରମ୍ବାର ଆକ୍ରମଣ କରାଯାଇଥିଲା। ବଳଶାଳୀ ସଂଘୀ ଶାସକ, ପ୍ରଶାସକ ଓ ସ୍ଥାନୀୟ ଗୁଣ୍ଡାଙ୍କ ସହାୟତାରେ ଏହି ବସ୍ତିକୁ ସମ୍ପୂର୍ଣ୍ଣ ଉଛେଦ ପାଇଁ ନୀଳ ନକ୍ସା ପ୍ରସ୍ତୁତ କରାଯାଇଥିଲା। ଭୁବନେଶ୍ୱରରେ ରିକ୍ସା ଟାଣୁଥିବା ଶ୍ରମଜୀବୀ ବସ୍ତି ନେତା ଖଦାଳ ସେଠୀ ଓ ତାଙ୍କ ସହଯୋଗୀ ସେଣ୍ଟ୍ରିଙ୍ଗ ମିସ୍ତ୍ରୀ ସ୍ବର୍ଗତ ଗୌରାଙ୍ଗ ବାରିକଙ୍କ ଅଦମ୍ୟ ସାହାସ, ଦୃଢ଼ ମନୋବଳ ଓ ସାମୁହିକ ସ୍ୱାର୍ଥ ପ୍ରତି ନିଷ୍ଠାବାନ ଆନ୍ଦୋଳନ ଫଳରେ ବଳଶାଳୀ ଶାସକ ଗୋଷ୍ଠୀ ହାର ମାନିଥିଲେ। ଏହି ଦୁଇ ସଂଗ୍ରାମୀ ନେତାଙ୍କ ବଳିଷ୍ଠ ନେତୃତ୍ୱ ଓ ସଂଗ୍ରାମୀ ପ୍ରତିରୋଧ ଆନ୍ଦୋଳନ ଫଳରେ ଜାଡ଼ି ସାହି ବସ୍ତି ସେହି ଜମି ଉପରେ ହିଁ ରହିଥିଲା ଏବଂ ଏବେ ମଧ୍ୟ ସେଠାରେ ରହିଛି। ବରଂ ସେହି ଜାଗାରୁ ସ୍କୁଲ ନିକଟସ୍ଥ ଅନ୍ୟ ବଡ଼ ଜାଗାକୁ ସ୍ଥାନାନ୍ତର ହୋଇଛି। ଏହି ସଂଗ୍ରାମରେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର ରାଜ୍ୟ ସମ୍ପାଦକ କମ୍ରେଡ଼ ଶିବରାମ ଏବଂ ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ତାଙ୍କୁ ସହାୟତା ଯୋଗେଇ ଦେଇଥିଲେ। ଏହି ସଂଗ୍ରାମ ପରଠାରୁ ସେ କେବେ ମଧ୍ୟ ପଛକୁ ହଟି ନଥିଲେ। ୨୦୦୩ ମସିହାରେ ବସ୍ତି ସୁରକ୍ଷା ମଞ୍ଚ ଗଠନ ହେଲା ପରେ ମଞ୍ଚର ପ୍ରଥମ କାର୍ଯ୍ୟକାରୀ କମିଟିକୁ ସ୍ବର୍ଗତ ଖଦାଳ ସେଠୀ ନିର୍ବାଚିତ ହୋଇଥିଲେ। ବସ୍ତିବାସିନ୍ଦାଙ୍କ ସପକ୍ଷରେ ପ୍ରଥମ ଆଇନ ପ୍ରଣୟନ ପାଇଁ ତାଙ୍କ ସଂଗ୍ରାମ ଅବିସ୍ମରଣୀୟ ହୋଇ ରହିବ। ସାଥି ଖଦାଳ ସେଠୀଙ୍କ ଅବଦାନ ବସ୍ତି ଆନ୍ଦୋଳନ ନିଶ୍ଚୟ ମନେ ରଖିବ। ସଂଗ୍ରାମୀ ସାଥୀ ଖଦାଳ ସେଠୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସାଥୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ। ଏଥିସହ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରଦାନ କରୁଛୁ।