କୋଦଳା,୦୪/୦୯(ପିପିଟି); ଶୁକ୍ରବାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପି ନେତା ରଞ୍ଜନ ପୋଲାଇଙ୍କ ନେତୃତ୍ବରେ ବିଜେପି କର୍ମୀ ଓ କୃଷକ ମାନେ କୋଭିଡ୍ ନିୟମକୁ ପାଥେୟ କରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ । ସାର କଳାବଜାରୀଙ୍କ ଦୌରାତ୍ମ୍ୟରୁ ଚାଷୀଙ୍କୁ ଉଦ୍ଧାର କରି ଯଥାଶୀଘ୍ର ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ, ମଣ୍ଡିରେ ଧାନ ବିକ୍ରୟ ପାଇଁ ରେଜିଷ୍ଟ୍ରେସନ୍ କରି ଧାନର ଉପଯୁକ୍ତ ମୂଲ୍ୟ ଦିଆଯିବା, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ସବୁ ଚାଷୀଙ୍କୁ ଅନ୍ତର୍ଭୂକ୍ତ କରିବା, ଜଳସେଚନ ସୁବିଧା, ବିହନ ଓ ସାର ଯୋଗାଣରେ ହେଉଥିବା ଦୁର୍ନୀତିକୁ ବନ୍ଦ କରିବା, ଚାଷୀଙ୍କୁ କୃଷି ଭତ୍ତା ସହ ଉପଯୁକ୍ତ ସମ୍ମାନ, ଭୂମିହୀନ ହରିଜନମାନଙ୍କୁ ପଟ୍ଟା ପ୍ରଦାନ,ସମେତ ୧୨ ଦଫା ଦାବି ନେଇ ବିଜେପି ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥି ସହିତ କୃଷି ମନ୍ତ୍ରୀ, କୃଷି ସଚିବ ଓ ମୁଖ୍ଯମନ୍ତ୍ରୀଙ୍କୁ ମଧ୍ୟ ଏହି ଦାବିପତ୍ର ଇମେଲ୍ ଯୋଗେ ପ୍ରେରଣ କରାଯାଇଛି। ଏଥିରେ ଅନ୍ଯ ମାନଙ୍କ ମଧ୍ୟ ରେ ବେଗୁନିଆପଡ଼ା ବିଜେପି ମଣ୍ଡଳ ସଭାପତି ସୁଦର୍ଶନ ସାହୁ, କୋଦଳା ମଣ୍ଡଳ ସଭାପତି ମଧୁସୂଦନ ଜେନା ,ବିଜେପି ନେତା ନାରାୟଣ ସୁମନ୍ତରାୟ ,ଭଗବାନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।