କୃଷକ ଆନ୍ଦୋଳନର ଐତିହାସିକ ବିଜୟ ଉତ୍ସବ ପାଳନ।

0 257

ବ୍ରହ୍ମପୁର,୧୯/୧୧(ପିପିଟି): ଦେଶର କୃଷକ ଓ ସେମାନଙ୍କ ସଂଗଠନମାନଙ୍କ ସହକୌଣସି ବିଚାର ବିମର୍ଷ ବିନା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ର ସରକାର ଆଣିଥିବା କର୍ପୋରେଟ୍ ସପକ୍ଷବାଦୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ପଞ୍ଜାବରେ ଏହି ଆଇନ ପ୍ରତି ରହିଥିବା ବ୍ୟାପକ ବିରୋଧ ଏବଂ ସେଠାକାର ବିଧାନସଭା ନିର୍ବାଚନକୁ ଲକ୍ଷ ରଖି ଏହି ଘୋଷଣା କରିବା ପାଇଁ ସେ ଗୁରୁ ନାନକ ଜୟନ୍ତୀକୁ ବାଛିଛନ୍ତି ।

ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ଏହି ସଦ୍ୟତମ ଘୋଷଣାକୁ ସ୍ଵାଗତ କରିବା ସହ ସଂସଦର ଆଗାମୀ ଅଧିବେଶନରେ ଉପୁଯୁକ୍ତ ସଂସଦୀୟ ପ୍ରକ୍ରିୟା ଜରିଆରେ ସେସବୁର ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସ୍ଥିର କରିଛି । ଯଦି ସେପରି ହେଉଛି, ତାହେଲେ ଦୀର୍ଘ ଏକ ବର୍ଷ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଏହା ଐତିହାସିକ ବିଜୟ ବୋଲି କୁହାଯିବ । ଗତ ଏକବର୍ଷ ମଧ୍ୟରେ ଏହି ଆନ୍ଦୋଳନରେ ସାମିଲ ୭୦୦ରୁ ଉର୍ଦ୍ଧ୍ବ କୃଷକ ପ୍ରାଣ ହରାଇଛନ୍ତି । ଲକ୍ଷ୍ମୀପୁର ଖେରୀର ହତ୍ୟା ଘଟଣା ସମେତ ଉପରୋକ୍ତ ସମସ୍ତ କୃଷକ ମୃତ୍ୟୁ ପାଇଁ ମୋଦି ସରକାର ଓ ତାଙ୍କର ଅହଂକାର ହିଁ ଦାୟୀ । ଆଜି ପ୍ରଧାନମନ୍ତ୍ରୀ ନିଜ ଭାଷଣରେ କିନ୍ତୁ କୃଷକ ଆନ୍ଦୋଳନର ଉପରୋକ୍ତ ଶହୀଦମାନଙ୍କ ପ୍ରତି ସାମାନ୍ୟତମ ଦୁଃଖ କିମ୍ବା ଅନୁସୋଚନା ପ୍ରକାଶ ନକରିବା ତାଙ୍କର ସମ୍ଵେଦନହୀନତା ଓ ଅହଂକାରକୁ ହିଁ ପ୍ରମାଣିତ କରୁଛି ।

ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ କୃଷକମାନଙ୍କ ଆନ୍ଦୋଳନ କେବଳ ତିନି କଳା କୃଷି ଆଇନର ପ୍ରତ୍ୟାହାର ପାଇଁ ହିଁ ନଥିଲା । କୃଷକ ମାନଙ୍କ ସମସ୍ତ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ଦର ପାଇଁ ଆଇନଗତ ଗ୍ୟାରେଣ୍ଟି ମଧ୍ୟ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଦାବି ଥିଲା । ସରକାର କମିଟି ଗଠନ କରି ଏମଏସପି ସମସ୍ୟାର ସମାଧାନ ପାଇଁ କହିଥିଲେ ମଧ୍ୟ, ସେ ଦିଗରେ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ଘୋଷଣା କରିନଥିବାରୁ କୃଷକମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଦାବି ବର୍ତ୍ତମାନ ବି ଅବ୍ୟାହତ ରହିଛି । ଏହା ସହିତ ଜନବିରୋଧି ବିଦ୍ୟୁତ ବିଲ -୨୦୨୦କୁ ପ୍ରତ୍ୟାହାର ପାଇଁ ସରକାର ଏଯାଏଁ ଘୋଷଣା କରିନାହାଁନ୍ତି । ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେବା ସହ ତାର ଆଗାମୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଘୋଷଣା କରିବ.
ଆଜି ଏ ବିଜୟ ଦିବସ ପାଳନ ଅବସରରେ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ରାଜ୍ୟ ଆବାହକମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ସାମନ୍ତରାୟ, ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଶଙ୍କର ସାହୁ, ଜିଲ୍ଲା ଆବାହକ ମଣ୍ଡଳୀସଭ୍ୟ ବସନ୍ତ ନନ୍ଦ, ନୀଳକଣ୍ଠ ଦାସ,ପ୍ରତାପ ନାୟକ, ଗୋପାଳ ପାଣିଗ୍ରାହୀ, ଡ଼ି ପାର୍ବତୀ, ବିଜୟ ସ୍ୱାଇଁ, ବାବୁଲା ନାୟକ,ଦଣ୍ଡପାଣି ରେଡଡି, ଶ୍ରମିକ ନେତା ପ୍ରକାଶ ପାତ୍ର, ଯୁଧିଷ୍ଠିର ବେହେରା, ସୋମନାଥ ବେହେରା, ପ୍ରତାପ ପ୍ରଧାନ, ପ୍ରତାପ ଚୌଧୁରୀ,ଏସ ପି ମହାପାତ୍ର,ଅଶୋକ ଦାସ, ପ୍ରଦୀପ ସେଠି, କାମଦେବ ନାହାକ ସାମାଜିକ କର୍ମୀ ଅବନୀ ଗୟା,ନାଂଦେଷୁ ସେନାପତି,ଆମ ଆଦମୀ ପାର୍ଟି ନେତା ଆଦିତ୍ୟ ରଥ ଙ୍କ ସମେତ ବହୁ ସଂଖ୍ୟାରେ ଜନ ସାଧାରଣ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.