ଭଞ୍ଜନଗର,୧୬/୧୨(ପିପିଟି): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଗୋବିନ୍ଦପୁର ଗାଁରୁ ଆସିଥିବା ଏକ ପର୍ଯଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ୧୦୮ଆମ୍ବୁଲାନ୍ସ ଏବଂ ଦମକଳବାହିନୀର ଗାଡ଼ି ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଆହତଙ୍କୁ ଘୁ.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିବା ଜଣାପଡ଼ିଛି। ଥାନାଧିକାରୀ ରେବତୀ ଶବର ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ପଶ୍ଚିମବଙ୍ଗର ଗୋବିନ୍ଦପୁରରୁ ୬୦ଜଣ ପର୍ଯ୍ୟଟକଙ୍କୁ ଧରିଏକ ପର୍ଯ୍ୟଟକ ବସ୍ ନଂ(ଡବ୍ଳୁବି୨୯ଏ ୨୯୯୯) ପ୍ରାୟ ୬୦ ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡ଼ିରେ ଆସିଥିବା ବେଳେ ସନ୍ଧ୍ୟାରେ ବଣଭୋଜି ସାରି ଗୋପାଳପୁର ଅଭିମୁଖେ ବାହାରି ଥିଲେ। ଆଜି ରାତି ଗୋପାଳପୁରରେ ରହି ଡିସେମ୍ବର ୧୭ ତାରିଖ ପୁରୀ ଅଭିମୁଖେ ବାହାରିବାର ଯୋଜନା ପ୍ରସ୍ତୁତ କରିଥିଲେ। ବସ୍ଟି ୬ କିମି କଳିଙ୍ଗା ଘାଟି ଅତିକ୍ରମ କରି ସାରିବା ପରେ ଅନ୍ଧାରକୋଟ ତୀକ୍ଷ୍ଣ ବୁଲାଣି ନିକଟରେ ବ୍ରେକ୍ ଫେଲ ହୋଇଯିବାରୁ ପାର୍ଶ୍ବସ୍ଥ ଗାର୍ଡଓ୍ବାଲକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ବସ୍ରେ ବସିଥିବା ଯାତ୍ରୀ ଭିତରେ ରହିଯାଇଥିଲେ। ଏହି ସମୟରେ ଟିକାବାଲିରୁ ଭଞ୍ଜନଗର ଯାଉଥିବା ଏକ କାର୍ର ଯାତ୍ରୀ ଓହ୍ଲାଇ ଆଗପଟୁ କାଚ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସହ ଆମ୍ବୁଲାନ୍ସ ଓ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )