କଳା ଓ କଳାକାରଙ୍କ ହୀତ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବରିଷ୍ଠ କଳାକାର ସଂଘର ସଜବାଜ ।

0 287

ବ୍ରହ୍ମପୁର,୨୯/୦୭(ପିପିଟି); କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ଆଜି ପୂର୍ବାହ୍ନ ଏଗାଟାରେ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ଠାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସରକାରଙ୍କ କୋଭିଡ୍ କଟକଣା ଅନୁସରଣ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମ୍ପ୍ରତିକ କରୋନା କାଳରେ କଳାକାର ସମାଜ ପ୍ରତି ସରକାରଙ୍କ ଅସହଯୋଗ ନେଇ କ୍ଷୁବ୍ଧ ଭାବ ପୋଷଣ କରିଥିଲା ବୈଠକ । ପେଶାଦାର କଳାକାର ତଥା ସେମାନଙ୍କ ସହଯୋଗୀ ଚିତ୍ରାଳୟ ଓ ଶବ୍ଦାଲୋକ ସଂସ୍ଥା ଓ ତାହାର କାରିଗର ଶ୍ରେଣୀ ଏବଂ ନାଟ୍ୟ-ଶ୍ରମଜୀବିଙ୍କୁ ଆର୍ଥିକ ସହାୟତା, କଳାକାର ଭତ୍ତା ବାରଶହରୁ ଅନ୍ୟୁନ ତିନି ହଜାର ଟଙ୍କାକୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାକୁ ସଂସ୍କୃତି ବିଭାଗ କଳାକାର ଭତ୍ତାରେ ସାମିଲ କରେଇବା, କଳାକାରଙ୍କୁ ମଞ୍ଚ ଫେରେଇଦେବା ଇତ୍ୟାଦି ଦାବି ନେଇ ଅଗଷ୍ଟ ନ’ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ । ସରକାର ଯଦି ପୂର୍ବ ଭଳି ଏଥର ମଧ୍ୟ ଅଣଦେଖା କରନ୍ତି ତେବେ ପରବର୍ତ୍ତୀ କାଳରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରକାଶ କରିଥିଲେ । ବୈଠକରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘ, ମା’ କୁରେଈଶୁଣୀ ଲୋକନାଟ୍ୟ ନିର୍ଦ୍ଦେଶକ ସଂଘ, ମଞ୍ଚ କାରିଗର ସଂଘର ପ୍ରତିନିଧିମାନେ ଅଂଶ ଗ୍ରହଣ କରି କଳାକାର ସଂଘ ସହ ଏକମତ ହୋଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ମାମା ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଦିଲ୍ଲୀପ ସାମନ୍ତରାୟ କରୋନା ପ୍ରଭାବରେ କ୍ଷତାବିକ୍ଷତ ସାଂସ୍କୃତିକ ଜଗତର ମର୍ମସ୍ପର୍ଶୀ ବାସ୍ତବ ଚିତ୍ର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ କୋଷାଧ୍ୟକ୍ଷ ବଳଦେବ ସାହୁ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.