କଳାବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ଆର. ବି.ଏସ. କେ. ଆୟୁଷ ଡାକ୍ତର ।

0 341

ବେଲଗୁଣ୍ଠା,୦୫/୦୮(ପିପିଟି);ରାଜ୍ୟରେ ସାଂପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଆୟୁଷ ଡାକ୍ତର ମାନେ ଆଗଧାଡିରେ ଠିଆ ହୋଇ ଜନସାଧାରଣଙ୍କ ପାଇଁ ବରଦାନ ସଦୃଶ୍ୟ ସେବା ପ୍ରଦାନ କରୁଛନ୍ତି ।କିନ୍ତୁ ରାଜ୍ୟ ସରକାର ଆରମ୍ଭରୁ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଥିବା ରାଜ୍ୟ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ସଂଘ ଅଭିଯୋଗ କରିଛନ୍ତି ।ଏନେଇ ଆଠ ଦଫା ଦାବି ନେଇ ଜୁଲାଇ ୨୦ ତାରିଖରେ ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଚିଠି ଆକାରରେ ସଂଘ ତରଫରୁ ଦାବି ଉପସ୍ଥାପନ କରାଯାଇଥିଲା । ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ସମସ୍ତ ସୁବିଧା ପ୍ରଦାନ,ଆୟୁଷ ବିଭାଗ ଅନ୍ତର୍ଗତ ଔଷଧ ଲେଖିବାର ଅନୁମତି ,ଅଙ୍ଗନୱାଡି ଓ ବିଦ୍ୟାଳୟ ରେ ଶିକ୍ଷାର୍ଥୀଙ୍କୁ ହୋମିଓପ୍ୟାଥିକ/ଆୟୁର୍ବେଦିକ ଔଷଧ ପ୍ରଦାନ ,ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ତାଲିମ ଓ ଚାକିରୀ ସ୍ଥାୟିକରିବା ସହ ମାସିକ ପାରିଶ୍ରମିକ ୫୦୦୦୦ ଟଙ୍କାକୁ ବୃଦ୍ଧି ଆଦି ବିଭିନ୍ନ ଦାବି ନେଇ ଆର.ବି. ଏସ.କେ ଆୟୁଷ ଡାକ୍ତର ମାନେ ୫/୮/୨୦ ଠାରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିବେ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି। ଆୟୁଷ ଡାକ୍ତର ସଂଘ,ଓଡିଶା ପକ୍ଷରୁ କ୍ଷୋଭର ସହ ପ୍ରକାଶ କରାଯାଇଛି ଯେ ତୃଣମୂଳ ସ୍ତରରେ କରୋନା ମୁକାବିଲା ପାଇଁ ନିଯୁକ୍ତ ଆୟୁଷ ଡାକ୍ତର ମାନେ ଚରମ ଅବହେଳାର ଶିକାର ହୋଇଛନ୍ତି। ବାରମ୍ବାର ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ଦୃଷ୍ଟି ଆକର୍ଷଣ ପରେ ବି ଫଳ ଶୁନ। ଦିନରାତି କାମ କଲା ପରେ ବି ସେମାନଙ୍କୁ କୌଣସି ସୁବିଧା ସୁଯୋଗ କିମ୍ଵା କାମର ଶ୍ରେୟ ମିଳୁନାହିଁ ।ପୋଲିସ,ସାମ୍ବାଦିକ, ଅଶକର୍ମୀ, ଅଙ୍ଗନୱାଡି କର୍ମୀ ଓ ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିଛି ହେଲେ ରୋଗୀଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ଚିକିତ୍ସା କରୁଥିବା ଆୟୁଷ ଡାକ୍ତର ମାନେ ଏଥିରୁ ବଂଚିତ ଅଛନ୍ତି। ଆୟୁଷ ଡାକ୍ତର ମାନେ ସରକାରଙ୍କ ସବୁ ନିୟମ ମାନି କାମ କରିବା ସତ୍ତ୍ୱେ କିଛି ଡାକ୍ତର କରୋନା ରେ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରେ କାର୍ଯ୍ୟ କରିବାଠାରୁ ଆରମ୍ଭ କରି ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ, କୋଭିଡ କେୟାର ହସପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ପର୍ଯ୍ୟନ୍ତ ଆୟୁଷ ଡାକ୍ତରଙ୍କ ଭୁମିକା କରୋନା ମୁକାବିଲା ରେ ଗୁରୁତ୍ୱପୂର୍ଣ୍ଣ କିନ୍ତୁ କରୋନା ମୁକାବିଲାରେ ସବୁଠୁ ଅଧିକ କାମ କରୁଥିବା ଏହି ଡାକ୍ତର ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଏକ ବୃହତ ଚିନ୍ତାର ବିଷୟ। ନିଜ ପ୍ରତି ହୋଇଥିବା ଏ ସବୁ ଅବହେଳାର ପ୍ରତିବାଦ ସ୍ବରୂପ ଆର ବି ଏସ କେ ଡାକ୍ତର ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଆଜିଠୁ କଳା ବ୍ୟାଚ ପରିଧାନ ପୂର୍ବକ ନିଜ ଦାୟତ୍ୱ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆ ଯାଇଛି । ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଡାଃ ଜ୍ଞାନ ରଞ୍ଜନ ମହାପାତ୍ର, ଡାଃ ସୃତିବିଜିତା ରଥ,ଡାଃ ଜଗନ୍ନାଥ ପତି ସଂଘ ନିଷ୍ପତ୍ତିକୁ ସମର୍ଥନ କରି ଆଜି ଠାରୁ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି । ସରକାର ନିଶ୍ଚିତ ଭାବରେ ସେମାନଙ୍କ ଦାବି ପୁରଣ କରିବା ସହ ଆୟୁଷ ଡାକ୍ତର ମାନଙ୍କୁ ମଧ୍ୟ ଆଗଧାଡିର କରୋନା ଯୋଦ୍ଧା ମାନ୍ୟତା ଦେଇ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ ବୋଲି ଆଶାବାଦୀ ଅଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.