ରାୟଗଡା,୨୯/୦୮(ପିପିଟି) ରାୟଗଡା ଜିଲ୍ଲା ବିଷମକଟକ ବ୍ଳକର ଝିଗିଡି ଗ୍ରାମର ୩୫ ପରିବାର ଓ ମୁନିଗୁଡା ବ୍ଳକର ଗତିଗୁଡା ଗ୍ରାମର ୨୫ ପରିବାର ପ୍ରଶିଦ୍ଧ ଡୋକରା ହସ୍ତଶିଳ୍ପ କାମ କରି ଜିଲ୍ଲା ତଥା ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏମାନେ ମାଟି,କୋଇଲା,ମହମ,ପିତଳ ଓ ଲାଖର ସମିଶ୍ରଣରେ ବିଭିନ୍ନ ସାମଗ୍ରୀ ଯଥା ମାଛ,ହାତୀ,ବାଘ ଓ ଅନ୍ୟାନ୍ୟ ଘରର ଶୋଭା ବଢାଉଥିବା ମୂର୍ତ୍ତିମାନ ତିଆରି କରିଥାନ୍ତି । ଏହି ଡୋକରା ହସ୍ତଶିଳ୍ପ ସେମାନେ ପରମ୍ପରା ଭାବେ କରି ଆସୁଛନ୍ତି। ପ୍ରତିଦିନ ଘରର ସମସ୍ତ ସଦସ୍ୟ ଏହି କାମରେ ଲାଗିପଡ଼ନ୍ତି ବିଭିନ୍ନ ଉପକରଣ ପ୍ରସ୍ତୁତିରେ । ଏମାନଙ୍କ ହସ୍ତଶିଳ୍ପ ପ୍ରତିବର୍ଷ ଜିଲ୍ଲା ତଥା ଜିଲ୍ଲା ବାହାରର ପ୍ରଦର୍ଶନୀ ମେଳା,ଚଇତି ଉତ୍ସବରେ ବିକ୍ରୟ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି।ବିଦେଶୀ ପର୍ଯ୍ୟଟକ ଗ୍ରାମକୁ ଆସି ଏହି କଳା କ୍ରୁତିକୁ ବେଶ ଉପଭୋଗ କରିବା ସହ କିଣା କିଣି କରିଥାନ୍ତି। ବିଶେଷ କରି ଏମାନେଙ୍କ ହାତତିଆରି ଚୁଡି, ମାଳି ତଥା ବିଭିନ୍ନ ଅଙ୍ଗ ପ୍ରସାଧନ ଏହି ଅଞ୍ଚଳର ଡ଼ଙ୍ଗରିଆ ମାନେ ବହୁଳ ଭାବରେ ବ୍ୟବହାର କରନ୍ତି। କୋରନା କଟକଣା ଯୋଗୁଁ ହାଟ ବଜାର ବନ୍ଦ ହେତୁ ଏମାନେ ପାଞ୍ଚ ମାସ ହେଲା ହାତ ବାନ୍ଧି ବସିଛନ୍ତି। ଆଉ ବିଦେଶୀ ପର୍ଯ୍ୟଟକ ଗ୍ରାମକୁ ଆସୁନଥିବାରୁ ବେରୋଜଗାର ହୋଇ ଦିନ ମଜୁରିଆ କାମ କରି ପେଟ ପୋଷୁଛନ୍ତି ।ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଏମାନଙ୍କୁ ଆର୍ଥିକ ସହାୟତା ଦେଇ ଏମାନଙ୍କ ବ୍ୟବସାୟକୁ ଆଗେଇ ନେଉଥିଲା।ବିକ୍ରିବଟା ସମ୍ପୂର୍ଣ୍ଣ ବନ୍ଦ ହେତୁ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ମଧ୍ୟ କୌଣସି ସହାୟତା ଯୋଗାଇ ପାରୁନି। ନିଖୁଣ ଶିଳ୍ପୀ ଏବେ ପେଟ ପୋଷିବା ନିମନ୍ତେ ଧାନ ଫସଲରେ ମୁଲ ଲାଗୁଛନ୍ତି ଏବଂ ଜଙ୍ଗଲକୁ ଯାଇ ଜାଳେଣୀ କାଠ ଯୋଗାଡ଼ କରୁଛନ୍ତି। ଏଣୁ ଏମାନଙ୍କ କଳାକୁ ବଞ୍ଚାଇ ରଖି ଏମାନଙ୍କୁ ସହଯୋଗ ନିମନ୍ତେ ସରକାର ଆଗେଇ ଆସିବା ଉଚିତ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ରିପୋର୍ଟ – ନବୀନ ନାୟକ ବେହେରା ।