ଭଞ୍ଜନଗର,୧୩/୦୧(ପିପିଟି): ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି। ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ବୈଠକରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସରକାରଙ୍କ କୋଭିଡ ନିର୍ଦ୍ଦେଶ ଅନୁସାରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ କୌଣସି ସ୍କୁଲ କିମ୍ବା କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିପାରିବେ ନାହିଁ। ଏହାଛଡା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ ନାହିଁ।ପ୍ୟାରେଡ ପଡିଆକୁ କୌଣସି ସାଧାରଣ ଜନତାକୁ ପ୍ରବେଶ ଅନୁମତି ରହିବ ନାହିଁ।ଅନଲାଇନ ମାଧ୍ୟମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବକୃତା, ଦେଶାତ୍ମବୋଧକ ସଙ୍ଗୀତ, ରଚନା, ସାଧାରଣ ଜ୍ଞାନ ଭଳି କେତେକ ପ୍ରତିଯୋଗିତା କରାଯିବ। କେବଳ ଅଳ୍ପ ସଂଖ୍ୟକ ଅତିଥି ମାନଙ୍କ ଗହଣରେ ମୁଖ୍ୟ ଅତିଥି ଭଞ୍ଜନଗର ଉପଜିଲ୍ଲାପାଳ ଜାତୀୟ ପତକା ଉତ୍ତୋଳନ କରି ଉଦବୋଧନ ଦେବେ।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଅର୍ଥାତ ପୁରୁଣା ଜେଲ ପଡିଆ ଠାରେ ୭୩ ତମ ସାଧରଣତନ୍ତ୍ର ଦିବସ ପାଳନ କରାଯିବ। ସକାଳ ୮.୩୦ ମିନିଟ ସମୟରେ ଜାତୀୟ ପତକା ଉତ୍ତୋଳନ କରାଯିବ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଭୋର ସମୟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ ପ୍ରଚାର କରାଯିବ। ସକାଳ ୭.୩୦ ମିନିଟ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତକା ଉତ୍ତୋଳନ କରିବେ।ଚଳିତ ବର୍ଷର କିଛି ବିଶେଷ ମୁହୂର୍ତ୍ତକୁ ନେଇ ଏକ ଫୋଟ ଗ୍ୟାଲେରୀ କରିବା ପାଇଁ ସ୍ଥିର ହୋଇଛି।ମହାମାରୀ କୋଭିଡ ସମୟରେ ଉତ୍ତମ ସେବା ଯୋଗାଇଥିବା ଏବଂ ଉପାନ୍ତ ଇଲାକାକୁ ଯାଇ ଟୀକାକରଣ କରିଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ପୌର କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରାଯିବ।ଏଥିସହ ବଡ଼କୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠାଶ୍ରମ ଏବଂ ଉପଖଣ୍ଡ ଡାକ୍ତର ଖାନାରେ ରୋଗୀ ମାନଙ୍କୁ ଜାତୀୟ ଦିବସ ଉପଲକ୍ଷେ ଉପଜିଲ୍ଲାପାଳ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିବେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ଆଲୋକ କୁମାର ପ୍ରଧାନ, କେଏସୟୁବି କଲେଜ ଅଧ୍ୟକ୍ଷ ଡ଼. ସୁବାଷ ଚନ୍ଦ୍ର ପ୍ରଧାନ, ଏନସିସି ନାଭଲ ଅଫିସର ରବୀନ୍ଦ୍ର କୁମାର ମିଶ୍ର,କେଏସୟୁବି କଲେଜ ଏନସିସି ଆର୍ମି ଅଫିସର ଲେଫଟନାଣ୍ଟ ଆର. ତ୍ରିପାଠୀ, ଏକ୍ସଆର୍ମି ସଂଘର ସମ୍ପାଦକ କିଶୋର ଚନ୍ଦ୍ର ଡାକୁଆ, ପିଏଚଡି ବିଭାଗର ଗୋପାଳ ଚନ୍ଦ୍ର ବେହେରା, ସମାଜସେଵୀ ଶୁଳପାଣି ଶତପଥି, ବଣିକ ସଂଘର କର୍ମକର୍ତ୍ତାଙ୍କ ସମେତ ଅନ୍ୟ ବିଭଗୀୟ ଅଧିକାରୀ ଏବଂ ଉଭୟ ବୈଦୁତିକ, ଛାପା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )